Categories: ଜାତୀୟ

ଆଦାନୀ ଜାଲିଆତିର ତଦନ୍ତ ଦାବି

ନୂଆଦିଲ୍ଲୀ,୭।୨(ପି.ଟି.):ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ ବିରୋଧରେ ଜାଲିଆତ ଅଭିଯୋଗ ଆଣିବା ପରେ ଏହାର ତଦନ୍ତ ଦାବିରେ ସୋମବାର ବିରୋଧୀ ଦଳ ପାର୍ଲାମେଣ୍ଟ ଅଚଳ କରିଥିବାବେଳେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଏସ୍‌ବିଆଇ ଏବଂ ଏଲ୍‌ଆଇସି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ତତ୍ତ୍ୱାବଧାନରେ କିମ୍ବା ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରାଇବାକୁ ବିରୋଧୀ ଦଳ ଦାବି କରିଛି। ବିଭିନ୍ନ ସହରର ଏଲ୍‌ଆଇସି କାର୍ଯ୍ୟାଳୟ ଏବଂ ଷ୍ଟେଟ୍‌ ବ୍ୟାଙ୍କ ଶାଖା ସମ୍ମୁଖରେ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କେତେକ ସ୍ଥାନରେ ବିକ୍ଷୋଭ ବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି କେତେକ ସ୍ଥାନରେ ବ୍ୟାରିକେଡ୍‌ ଉପରେ ଚଢ଼ୁଥିବାର ଭିଡିଓ ଅନ୍‌ଲାଇନରେ ଦେଖିବାକୁ ମିଳିଛି। ସରକାର ଗୌତମ ଆଦାନୀଙ୍କୁ ସୁରକ୍ଷା ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ସୋମବାର ସକାଳେ ପାର୍ଲାମେଣ୍ଟ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ୧୭ଟି ବିରୋଧୀ ଦଳର ନେତାମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଆଦାନୀ ପ୍ରସଙ୍ଗରେ ଉଭୟ ଗୃହରେ ଆଲୋଚନା ଦାବି କରିଥିଲେ। ନରେନ୍ଦ୍ର ମୋଦି ସରକାର ଦେଶର ସମସ୍ତ ସରକାରୀ ସମ୍ପତ୍ତିକୁ ବିକି ଦେଉଥିବା ଏବଂ ଅଳ୍ପ କେତେଜଣ ଶିଳ୍ପପତିଙ୍କୁ ସୁବିଧା ଦେଉଥିବା ବିରୋଧୀ ଅଭିଯୋଗ କରିଥିଲେ। ଆଦାନୀ ଗ୍ରୁପ୍‌ରେ ଏଲ୍‌ଆଇସି ୨୬,୫୦୦ କୋଟି ଏବଂ ବ୍ୟାଙ୍କଗୁଡ଼ିକ ୮୦ ହଜାର କୋଟି ଟଙ୍କା ନିବେଶ କରିଥିଲେ। ଏହା ଜନସାଧାରଣଙ୍କ କଷ୍ଟଲବ୍ଧ ଅର୍ଥ। ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ହ୍ରାସ ପାଉଥିବାବେଳେ ସେମାନଙ୍କ ଅର୍ଥରାଶିର ଭବିଷ୍ୟତ କ’ଣ ହେବ ବୋଲି କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଛି। ଆଦାନୀ ଗ୍ରୁପ୍‌ର ବଜାର ମୂଲ୍ୟ ପାଖାପାଖି ୧୦୩ ବିଲିୟନ ଡଲାର (ପ୍ରାୟ ୮.୫ ଲକ୍ଷ କୋଟି ଟଙ୍କା) ହ୍ରାସ ପାଇଲାଣି।

Share