ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ ବେଆଇନ ଭାବେ ମଦ ଗଚ୍ଛିତ ରଖାଯାଇଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଡବା ଥାନା ଅଧିକାରୀ ସନ୍ତୋଷ କୁମାର ବିଶୋୟୀଙ୍କ ତତ୍ତ୍ୱାବଧାନରେ ଏବଂ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏସ୍ଆଇ ପ୍ରସନ୍ନ କୁମାର ପରିଡାଙ୍କ ନେତୃତ୍ୱରେ ପୋଲିସ ଟିମ୍ ପାଟୁମା ଗ୍ରାମର ମୁନା ବିଷୋୟୀଙ୍କ ଘରେ ଚଢ଼ାଉ କରି ତଲାସି କରିଥିଲା।
ଏହି ଚଢ଼ାଉ ସମୟରେ ପୋଲିସ ଘର ଭିତରୁ ୫୦ ଲିଟର ଦେଶୀ ମହୁଲି ମଦ, ୨୦ଟି କିଙ୍ଗଫିସର ବିୟର ବୋତଲ ଏବଂ ୧୯ଟି କିଙ୍ଗଫିସର ବିୟର କ୍ୟାନ୍ ସମେତ ସର୍ବମୋଟ ୭୨.୫ ଲିଟର ମଦ ଜବତ କରିଛି। ବେଆଇନ ଭାବେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ସବୁ ମଦ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ମୁନା ବିଷୋୟୀ (୨୨)ଙ୍କୁ ଗିରଫ କରିଛି। ଏହି ବେଆଇନ କାରବାର ନେଇ ଅଡବା ଥାନାରେ ମାମଲା ନମ୍ବର ୫୨/୨୬ ରୁଜୁ କରାଯାଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।