ପ୍ରକୃତ କରୋନା ମୃତ୍ୟୁ ସରକାରୀ ରିପୋର୍ଟଠାରୁ ୪ରୁ ୧୧ ଗୁଣା ଅଧିକ ଆଶଙ୍କା !…

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ମହାମାରୀ ଯୋଗୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ଏକ ନୂଆ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ପ୍ରକୃତ କରୋନା ମୃତ୍ୟୁ ସରକାରୀ ରିପୋର୍ଟଠାରୁ ୪ରୁ ୧୧ ଗୁଣା ଅଧିକ ହୋଇଥିବାର ଆଶଙ୍କା ରହିଛି। କରୋନା ଯୋଗୁ ଦେଶର ଜିଡ଼ିପିର ୩୦ ପ୍ରତିଶତ କ୍ଷତି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଗଣମାଧ୍ୟମ ସଂସ୍ଥା ଡେକାନ ହେରାଲ୍ଡ ଓ୍ବେବସାଇଟ୍‌ ଅନୁସାରେ ବାୟୋଷ୍ଟାଟିଷ୍ଟିିଆନ୍‌ ଭ୍ରାମର ମୁଖାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ମହାମାରୀ ବିଜ୍ଞାନ ମଡେଲ ଅନୁସାରେ ଜୁଲାଇ ୧ ସୁଦ୍ଧା ଦେଶରେ ୧୪ ଲକ୍ଷ କରୋନା ମୃତ୍ୟୁ ଘଟିଛି। ରାଜ୍ୟରୁ ପ୍ରାପ୍ତ ହୋଇଥିବା। ମୃତ୍ୟୁ ସଂଖ୍ୟା ରିପୋର୍ଟ ବିଶ୍ଲେଷଣ ଦ୍ୱାରା ଜଣାପଡ଼ିଛି ଯେ, ମୃତ୍ୟୁ ସଂଖ୍ୟା ୧୭ରୁ ୪୯ ଲକ୍ଷ ହୋଇଥିବାର ଅନୁମାନ କରାଯାଉଛି।

ଦେଶରେ କରୋନା ମୃତ୍ୟୁକୁ ନେଇ ବିବାଦ ହେବାରୁ ଏହି ସର୍ଭେ କରାଯାଇଥିବା ଭ୍ରାମର କହିଛନ୍ତି। ରିପୋର୍ଟ ଅନୁସାରେ ୨୦୨୧ ଜୁନ୍‌ ୩୦ ସୁଦ୍ଧା ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୯୦ କୋଟି।

ସେହିପରି ଏହି ସମୟ ମଧ୍ୟରେ ୧୭ରୁ ୪୯ ଲକ୍ଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ଆଶଙ୍କା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସରକାରୀ ରିପୋର୍ଟ ଅନୁସାରେ ବତ୍ତର୍ମାନ ସୁଦ୍ଧା ଦେଶର ୩ କୋଟି ୩୩ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାରରୁ ଅଧିକ ରହିଛି।

Share