କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ଅନେକ ସହରରେ ଘର, ଦାମୀ ଗାଡ଼ିର ସଉକ

ହାଇଦ୍ରାବାଦ: ଅଭିନୟ ସାଙ୍ଗକୁ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ଗହଣରେ ବେଶ ପରିଚିତ ରଶ୍ମିକା ମନ୍ଧାନା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୯୬ ଏପ୍ରିଲ ୫ ତାରିଖରେ କର୍ନାଟକରେ ତାଙ୍କର ଜନ୍ମ। ୨୦୧୬ରେ କନ୍ନଡ ଫିଲ୍ମ ‘କିରିକ ପାର୍ଟି’ରୁ ଅଭିନୟରେ ଡେବ୍ୟୁ କରିଥିଲେ ରଶ୍ମିକା। ଫିଲ୍ମରେ ତାଙ୍କ କାମକୁ ବେଶ ପସନ୍ଦ କରାଯାଇଥିଲା। ଏହାପରେ ୨୦୧୭ରେ ତାଙ୍କର ଦୁଇଟି କନ୍ନଡ ଫିଲ୍ମ ‘ଅଞ୍ଜନୀ ପୁତ୍ର’ ଏବଂ ‘ଚମକ’ ରିଲିଜ ହୋଇଥିଲା। ‘ଚମକ’ ଲାଗି ତାଙ୍କୁ ୬୫ ତମ ଫିଲ୍ମଫେୟାର ଆଓ୍ବାଡ୍ସରେ ଦକ୍ଷିଣ ଭାରତର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ନୋମିନେଟ୍‌ କରାଯାଇଥିଲା।

୨୦୧୮ରେ ତାଙ୍କ ଫିଲ୍ମ ‘ଗୀତା ଗୋବିନ୍ଦମ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ନାୟକ ସାଜିଥିଲେ ବିଜୟ ଦେବରକୋଣ୍ଡା। ଚଳଚ୍ଚିତ୍ରଟି ସୁପରହିଟ୍‌ ହେବା ସହ ରଶ୍ମିକାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଏହାପରେ ସେ ‘ସରିଲେରୁ ନିକେବରୁ’ ଏବଂ ‘ପୁଷ୍ପା’ ଭଳି ଫିଲ୍ମରେ କାମ କରି ବାହାବା ସାଉଁଟିଛନ୍ତି।

ରଶ୍ମିକାଙ୍କୁ ଘର କିଣିବା ବହୁତ ପସନ୍ଦ। ବମ୍ବେ, କୁର୍ଗ, ହାଇଦ୍ରାବାଦ ଏବଂ ଗୋଆ ଭଳି ଅନେକ ସହରରେ ତାଙ୍କର ତାଙ୍କର ଘର ରହିଛି। ସେହିଭଳି ତାଙ୍କର ମହଙ୍ଗା ଗାଡ଼ିର ସଉକ ରହିଛି। ନିକଟରେ ସେ ଏକ ରେଞ୍ଜ ରୋଭର କିଣିଥିବା ବେଳେ ତାଙ୍କ ପାଖରେ ମର୍ସଡିଜ୍‌, ଅଡି କ୍ୟୁ ୩, ଟୋୟୋଟା ଇନୋଭା, ହୁଣ୍ଡାଇ କ୍ରେଟା ଭଳି ଦାମୀ ଗାଡ଼ି ରହିଛି।

ଆଗାମୀ ଦିନରେ ରଶ୍ମିକା ଫିଲ୍ମ ‘ମିଶନ ମଜ୍‌ନୁ’ରେ ନଜର ଆସିବେ। ଏଥିରେ ତାଙ୍କ ବ୍ୟତିତ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ। ଏହାଛଡ଼ା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗୁଡବୟ’ ଏବଂ ରଣବୀର କପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ରଶ୍ମୀକା ନଜର ଆସିବେ।

Share