ଅଭିନେତ୍ରୀଙ୍କ ହାତରୁ ଫୋନ ଛଡ଼ାଇନେଲେ ଲୁଟେରା

ମୁମ୍ବାଇ,୩୦।୧୧: କବିର ସିଂ ଓ ବିଗ୍‌ ବୁଲ ଭଳି ହିଟ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସିଥିବା ନିକିତା ଦତ୍ତଙ୍କ ହାତରୁ ରବିବାର ଫୋନ ଛଡ଼ାଇ ନେଇଛନ୍ତି ଦୁଇ ଲୁଟେରା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ୧୪ ନମ୍ବର ରୋଡ୍‌ରେ ଚାଲୁଥିବା ବେଳେ ଅଭିନେତ୍ରୀ ଲୁଟର ସମ୍ମୁଖୀନ ହୋଇଥିବା ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୋମବାର ସୂଚନା ଦେଇଛନ୍ତି।

”ଗତକାଲି ମୋ ସହ ଘଟିଥିବା ଏକ ଭୟଙ୍କର ଅନୁଭୂତି ଆପଣଙ୍କ ସହ ଶେୟାର କରୁଛି। ବାନ୍ଦ୍ରାର ୧୪ ନଂ ରୋଡ୍‌ରେ ସନ୍ଧ୍ୟା ୭ଟା ୪୫ରେ ମୁଁ ଚାଲୁଥିବା ବେଳେ ପଛପଟୁ ଦୁଇ ଜଣ ବାଇକରେ ମୋ ମୁଣ୍ଡକୁ ମାରିବା ପରେ ହାତରୁ ଫୋନ ଛଡ଼ାଇ ନେଇଥିଲେ। ମୁଁ କିଛି ଚିନ୍ତା କରିବା ପୂର୍ବରୁ ସେମାନେ ଖସି ପଳାଇଥିଲେ। ଘଟଣାର ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ମୁଁ କିଛି ବୁଝି ପାରି ନ ଥିଲି। ପରେ ମୁଁ ସେମାନଙ୍କ ପିଛା କରିବାକୁ ଉଦ୍ୟମ କରିଥିଲି। ହେଲେ ସେମାନେ ଦୂରକୁ ପଳାଇଥିଲେ। ମୋ ଚିତ୍କାର ଶୁଣିବା ପରେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ କିଛି ଲୋକ। ଜଣେ ଦୟାଳୁ ବ୍ୟକ୍ତି ଲୁଟେରାଙ୍କୁ ବାଇକ୍‌ରେ ପିଛା ମଧ୍ୟ କରିଥିଲେ। ମାତ୍ର ଲୁଟେରାଙ୍କୁ ଧରିପାରି ନ ଥିଲେ। ପରେ ମୁଁ ବାନ୍ଦ୍ରାରେ ଥାନାରେ ଅଭିଯୋଗ କରିଥିଲି। ସଚେତନତା ସୃଷ୍ଟି କରିବା ପାଇଁ ମୁଁ ଏହି ପୋଷ୍ଟ ଲେଖୁଛି। ଆଶା କରୁଛି, କାହା ସହ ଏଭଳି ନ ଘଟୁ“ ବୋଲି ନିକିତା ପୋଷ୍ଟରେ ଲେଖିଛନ୍ତି।

ନିକିତାଙ୍କ ଉକ୍ତ ପୋଷ୍ଟରେ କମେଣ୍ଟ ସେକଶନରେ ବିଗ୍‌ ବୁଲ କୋ ଷ୍ଟାର ଅଭିଷେକ ବଚ୍ଚନ ‘ଯିତ୍ନ ନିଅ’ ବୋଲି ଲେଖିଛନ୍ତି।

Share