ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ପରଲୋକ

ପୁରୀ ଅଫିସ ୩୦ା୧:ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୧୦ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ମାତ୍ର ୯ବର୍ଷ ବୟସରୁ ଏକ କୁଳୀନ ବ୍ରାହ୍ମଣ ପରିବାରରୁ ଆସି ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗଦେଇ ନାଟକରେ ଅଭିନୟ କରିଥିଲେ। ଅଭିନୟ କ୍ଷେତ୍ରରେ ଲକ୍ଷ୍ମୀପ୍ରିୟା ସେ ସମୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଅନ୍ନପୂର୍ଣ୍ଣା ଥିଏଟରର ଜଣେ ଆଗଧାଡ଼ିିର ଅଭିନେତ୍ରୀ ଥିଲେ। ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଗ୍ରୁପ-ଏରେ ପ୍ରାୟ ୩୫ଟି ନାଟକରେ ଅଭିନୟ କରିଥିଲେ। ସେଗୁଡ଼ିକ ମଧ୍ୟରେ ଚଣ୍ଡାଳୁଣୀ, ହରିଶ୍ଚନ୍ଦ୍ର, ଦେବଯାନୀ, ବକ୍ସି ଜଗବନ୍ଧୁ, କୃଷ୍ଣଲୀଳା, ସୀତା ପରୀକ୍ଷା, ଝିମିଟି ଖେଳ, ସ୍ବର୍ଣ୍ଣଚମ୍ପା ପ୍ରଭୃତି ରହିଛି। କଳା କ୍ଷେତ୍ରରେ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବର୍ଗତ ବାଳକୃଷ୍ଣ ଦାସ, ହରିହର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶ ତାଙ୍କର ସଙ୍ଗୀତ ଗୁରୁ ରହିଥିଲେ। ସେ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୁରୁ ଗୋପୀକୃଷ୍ଣ ବେହେରାଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ। ସେହିପରି ଗୁରୁ ବ୍ୟୋମକେଶ ତ୍ରିପାଠୀ ଓ ଅନ୍ୟ ଗୁରୁମାନଙ୍କଠାରୁ ନାଟକ ଶିକ୍ଷା ଲାଭ କରିଥିଲେ। ତାଙ୍କ ବିୟୋଗରେ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ପୁରୀ ଆର୍ଟିଷ୍ଟ ଆସୋସିଏଶନ୍‌ ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ଝିଅ ନୀଳିମା ମିଶ୍ର ମୁଖାଗ୍ନି ଦେଇଥିଲେ।