Categories: ଜାତୀୟ

କୋଭିଡ୍‌ ଟେଷ୍ଟକୁ ନୁହେଁ ନିର୍ବାଚନ ରାଲିକୁ ପ୍ରାଧାନ୍ୟ ଦେଉଛନ୍ତି ନେତା

ଚେନ୍ନାଇ,୨୪।୩ : ତାମିଲନାଡୁ ବିଧାନସଭା ନିର୍ବାଚନରେ ବିରୁଧାଚାଲମ ଆସନରେ ଛିଡ଼ା ହୋଇଛନ୍ତି ଡିଏମ୍‌ଡିକେ ମୁଖ୍ୟ ବିଜୟକାନ୍ତଙ୍କ ପତ୍ନୀ ପ୍ରେମଲଥା। ତାଙ୍କ ସହକର୍ମୀମାନେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ମଧ୍ୟ ସେ ବିନା କୋଭିଡ୍‌ ଟେଷ୍ଟରେ ପ୍ରଚାର କରୁଛନ୍ତି। ତାଙ୍କ ନିବେଦନ ପରେ ୩ ଜଣିଆ ଡାକ୍ତରୀ ଦଳ ପ୍ରେମଲଥାଙ୍କ ନିକଟକୁ କୋଭିଡ୍‌ ଟେଷ୍ଟ କରିବା ଲାଗି ଯାଇଥିଲେ। କିନ୍ତୁ ସେ କହିଥିଲେ, ଆଗ ପ୍ରଚାର ଶେଷ କରିବି। ତା’ ପରେ ଟେଷ୍ଟ କରାଇବି।

କୋଭିଡ୍‌ ନିୟମ ଅନୁସାରେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ, ଆଇସୋଲେଶନରେ ରହିବାକୁ ପଡ଼େ। ନିୟମକୁ ଖାତିର ନ କରି ୧୦୦ ସମର୍ଥନକାରୀଙ୍କ ସହ ନିର୍ବାଚନ ମଣ୍ଡଳିରେ ପ୍ରଚାର କରୁଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟକାନ୍ତ ଗତବର୍ଷ କରୋନରେ ପୀଡ଼ିତ ହୋଇଥିଲେ। ତାଙ୍କ ଦଳ ଡିଏମ୍‌ଡିକେ ପୂର୍ବରୁ ଏଆଇଏଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟର ସଦସ୍ୟ ଥିଲା। କିନ୍ତୁ ଚଳିତ ମାସରେ ଆସନ ସଂଖ୍ୟା ନେଇ ବିବାଦ ଉପୁଜିବା ପରେ ମେଣ୍ଟରୁ ଓହରି ଯାଇଥିଲା ବିଜୟକାନ୍ତଙ୍କ ଦଳ।

Share