ଧନୁଷଙ୍କୁ ସମନ କଲେ ମାଡ୍ରାସ ହାଇକୋର୍ଟ

ମାଡ୍ରାସ,୩।୫: ମାଡ୍ରାସ ହାଇକୋର୍ଟରେ ଜାଲ୍‌ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ ମଙ୍ଗଳବାର କୋର୍ଟଙ୍କ ପକ୍ଷରୁ ସାଉଥ୍‌ ସୁପରଷ୍ଟାର ଧନୁଷଙ୍କୁ ସମନ ଜାରି କରାଯାଇଛି। ମାଡ୍ରାସର ଏକ ଦମ୍ପତି ଧନୁଷ ତାଙ୍କ ପୁଅ ବୋଲି ଦାବି କରିଆସୁଥିବା ବେଳେ ଏନେଇ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୂଚନା ମୁତାବକ, କାଥିସେରନ ଓ ତାଙ୍କ ସ୍ତ୍ରୀ ନିମାକ୍ଷୀଙ୍କ ଅଭିଯୋଗକ୍ରମେ ଧନୁଷ ସେମାନଙ୍କ ତୃତୀୟ ସନ୍ତାନ। ୨୦୧୭ରେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ୍‌ ପକ୍ଷରୁ ମାମଲା ଖାରଜ କରାଯାଇଥିଲା। ଧନୁଷ ଜନ୍ମଗତ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବା ପରେ ସମସ୍ତ ଦସ୍ତାବିଜ ଜାଲ ବୋଲି କୋର୍ଟରେ ଦମ୍ପତି ଅଭିଯୋଗ କରିଥିଲେ। ଧନୁଷ କୋର୍ଟରେ ଜାଲ ପ୍ରମାଣପତ୍ର ଦାଖଲ କରିବା ନେଇ କୌଣସି ପ୍ରମାଣ ନ ଥିବା କହି ୨୦୨୦ରେ କୋର୍ଟ ଏହି ମାମଲାକୁ ଖାରଜ କରିଥିଲେ। ତେବେ ସଦ୍ୟ ରିପୋର୍ଟ ମୁତାବକ ୨୦୨୦ରେ କୋର୍ଟ ଦେଇଥିବା ରାୟକୁ ଧନୁଷଙ୍କ ପ୍ରକୃତ ବାପା ବୋଲି ଦାବି କରୁଥିବା କାଥିସେରନମ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଅଭିନୟ ଜଗତରେ ନିଜ କ୍ୟାରିୟର ଗଢ଼ିବା ପାଇଁ ଧନୁଷ ସ୍କୁଲରୁ ଲୁଚି ପଳାଇଥିଲେ। ଏଥିସହ ଧନୁଷ ତାଙ୍କ ନାଁ ପରିବର୍ତ୍ତନ କରିଥିବା ଉକ୍ତ ଦମ୍ପତି ଅଭିଯୋଗ କରିଛନ୍ତି। ବହୁବାର କାଥିସେରନ ଏବଂ ନିମାକ୍ଷୀ ଧନୁଷଙ୍କୁ ଦେଖାକରିବା ପାଇଁ ଚେନ୍ନାଇ ଆସିଥିଲେ ହେଁ ସେମାନେ ତାଙ୍କୁ ଭେଟି ପାରି ନ ଥିଲେ। ଉକ୍ତ ଦମ୍ପତି ନିଜ ଭରଣ ପୋଷଣ ବାବଦକୁ ୬୫ ହଜାର ଟଙ୍କା ମଧ୍ୟ ଦାବି କରିଛନ୍ତି।

Share