ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ

ମୁମ୍ବାଇ, ୨୯।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା ତଥା ଆଲବମ୍‌ କଳାକାର ଅକ୍ଷତ ଉତ୍କର୍ଷ ଚୌଧୁରୀଙ୍କ ମୃତ ଦେହ ମୁମ୍ବାଇର ଅନ୍ଧେରୀରୁ ଉଦ୍ଧାର କରାଯାଇଛି। ବିହାର ମୁଜାଫରପୁରର ମୂଳ ବାସିନ୍ଦା ୨୬ ବର୍ଷୀୟ ଅକ୍ଷତ ଅନ୍ଧେରୀରେ ରହୁଥିବା ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଅକ୍ଷତଙ୍କ ପୋଷ୍ଟମର୍ଟମ ପରେ ପୋଲିସ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାପରେ ପରିବାର ଲୋକ ଅକ୍ଷତଙ୍କ ଶବକୁ ବିହାର ନେଇଯାଇଛନ୍ତି। ପରିବାର ପକ୍ଷରୁ ଅକ୍ଷତଙ୍କ ଆତ୍ମହତ୍ୟାକୁ ସନ୍ଦେହଜନକ ବୋଲି କୁହାଯାଇଥିବାବେଳେ ମୁମ୍ବାଇ ପୋଲିସ ମଧ୍ୟ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି।
ଏମ୍‌ବିଏ ଅଧ୍ୟୟନ କରୁଥିବା ଅକ୍ଷତ ଭୋଜପୁରୀ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବା ଲାଗି ମୁମ୍ବାଇ ଆସିଥିଲେ। ଗତ ୨ ବର୍ଷ ହେବ ସେ ମୁମ୍ବାଇର ପଶ୍ଚିମ ଅନ୍ଧେରୀର ସୁରେଶ ନଗରରେ ଏକ ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲେ। ସେ ମଧ୍ୟ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ଅକ୍ଷତଙ୍କ ମାମୁଁ ବିକ୍ରମ କିଶୋର ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ‘ଅକ୍ଷତଙ୍କ ସହ ଜଣେ ସ୍ନେହା ଚୌହାନ ନାମକ ଜଣେ ଅଭିନେତ୍ରୀ ରହୁଥିଲେ। ଅକ୍ଷତ ଓ ସ୍ନେହାଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଥିଲା।’ ଏହା ସହିତ ଅକ୍ଷତଙ୍କ ମାମୁଁ ଆକାଂକ୍ଷା ଦୁବେ ନାମକ ଆଉ ଜଣେ ଯୁବତୀଙ୍କ ବିଷୟରେ ମଧ୍ୟ କହିଛନ୍ତି। ଯିଏକି ଅକ୍ଷତଙ୍କ ଏମ୍‌ବିଏ ସହପାଠିନୀ ଥିଲେ। ଘଟଣା ଦିନ ରାତି ୯ଟାରେ ଅକ୍ଷତ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ। କିନ୍ତୁ ରାତିରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅକ୍ଷତଙ୍କ ବାନ୍ଧବୀ ସ୍ନେହା ପୋଲିସକୁ ସୂଚନା ଦେଇଥିଲେ। ତେବେ ଅକ୍ଷତ୍‌ଙ୍କ ମାମୁଁ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି।

Share