କମ୍‌ ଦରରେ ଧାନ ନେବାକୁ ସକ୍ରିୟ ମିଲର୍ସ, ବେପାରୀ

ବିଷମକଟକ,୧୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ। ଚାଷୀ ଖୋଲା ଆକାଶ ତଳେ ଧାନ ଅମଳ କରି ଜଗି ରହିଛନ୍ତି। ବାରମ୍ବାର ଲଘୁଚାପ ଚାଷୀକୁ ଚିନ୍ତାରେ ପକାଉଛି। ଆଗକୁ ପୁଣି ଏକ ଲଘୁଚାପ ରହିଥିବାରୁ ଚାଷୀ ଆଶଙ୍କାରେ ପଡ଼ିଛନ୍ତି। ଚଳିତ ଖରିଫ ଋତୁ ପାଇଁ ମଣ୍ଡି ଖୋଲିବାରେ ଯେତେ ବିଳମ୍ବ ହେଉଛି ଖୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ଅଧିକ ଦଲାଲଙ୍କ ଶିକାର ହେଉଛନ୍ତି। ଚାଷୀ ଋଣ ଏବଂ କରଜ କରି ଧାନ ଅମଳ କରୁଥିବାବେଳେ ଫସଲର ଉଚିତ୍‌ ମୂଲ୍ୟ ପାଇ ଋଣ ଶୁଝିବା ଚିନ୍ତାରେ ରହିଥାନ୍ତି। ବିଷମକଟକ ବ୍ଲକରେ ଏବେ କେତେକ ଜମିରୁ ଚାଷୀ ଧାନ ଅମଳ କରିସାରିଲେଣି। ଏଭଳି ପରିସ୍ଥିତିର ସୁଯୋଗ ନେଇ ବେପାରୀ ଏବଂ ମିଲର୍ସ ଚାଷୀଙ୍କ ଠାରୁ କମ୍‌ ମୂଲ୍ୟରେ ଧାନ କିଣି ନେଉଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ମଧ୍ୟ ଶୀଘ୍ର ଋଣ ଶୁଝିବା ପାଇଁ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆଉ କେତେକ ଚାଷୀ କେବେ ମଣ୍ଡି ଖୋଲିବ ଏବଂ ଟୋକନ ଆସିଲେ ଧାନ ବିକ୍ରି କରିବେ ବୋଲି ଅପେକ୍ଷା କରିଛନ୍ତି।
ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ସାଟେଲାଇଟ ମଧ୍ୟମରେ ଧାନଜମି ଚିହ୍ନଟ ପ୍ରକ୍ରିୟା ସରିନାହିଁ। ସେଥିପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଡିସେମ୍ବର ୧୯ ସୁଦ୍ଧା ମଣ୍ଡି ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ମଣ୍ଡି ଖୋଲିବାର ୭ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ ପାଇଁ ମୋବାଇଲରେ ସୂଚନା ମିଳିବା କଥା। ହେଲେ ଏ ପର୍ଯ୍ୟନ୍ତ ବିଷମକଟକରେ ୬୫୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କୁ ମଧ୍ୟ ମୋବାଇଲରେ ଏ ପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ। ଏଭଳି ସ୍ଥଳେ ଅଧିକାଂଶ ଚାଷୀ ବାହାର ବେପାରୀ ଏବଂ ମିଲର୍ସଙ୍କୁ ଧାନ ବିକ୍ରି କରିବା ପରେ ମଣ୍ଡି ଖୋଲି ପ୍ରଶସନ ନିକଟରେ ବାଃ ବାଃ ନେବାରେ କେଉଁଲାଭ ବୋଲି ଚାଷୀ ମତପ୍ରକାଶ କରିଛନ୍ତି। ଶୀତ କାକରରେ ଚାଷୀ ବର୍ଷକର ଅମଳ ଧାନକୁ ଜଗି ରହିଛି। ପୂର୍ବରୁ ଚାଷୀ ଅମଳ କରିଥିବା ଖରିଫ ଧାନକୁ ବିହନ ନିଗମ ସ୍ବୀକୃତି ପ୍ରଦାନ କରି ଚାଷୀଙ୍କ ଠାରୁ କ୍ରୟ କରୁଥିବା ବେଳେ ମିଲର୍ସ ସେହି ଧାନକୁ ନିମ୍ନମାନର ଦର୍ଶାଇ ଚାଷୀଙ୍କ ଠାରୁ କେଜି ପ୍ରତି ମାତ୍ର ୮ ରୁ ୧୦ ଟଙ୍କାରେ କିଣି ନେଉଛନ୍ତି। ଏବେ ଚାଷୀ ଖଳାରୁ ଧାନ ନେଇ କୌଣସି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଆର୍‌ଏମ୍‌ସି ଗୋଦାମ ଗୃହରେ ଧାନ ରଖିଲେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୦ ରୁ ୧୦୦ ଟଙ୍କା ଦେବାକୁ ପଡ଼ିବ। ସେଥିପାଇଁ ଚାଷୀ ସେଠାକୁ ଧାନ ନେବାପାଇଁ ମନ ବଳାଉନାହଁାନ୍ତି। ଫଳରେ ଚାଷୀ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଶୀଘ୍ର ମଣ୍ଡି ଖୋଲି ଚାଷୀଙ୍କ ଧାନ କିଣିବା ପାଇଁ ଚାଷୀ ଦାବି କରିଛନ୍ତି।