ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ। ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ଜଙ୍ଗଲରେ ପରିଣତ ହୋଇଥିବା ଏହି ବଡବନ୍ଧ ଯୋଗୁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ରହିଛି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୂର୍ବରୁ ଏହି ବଡବନ୍ଧର ପାଣିରେ ଆଖପାଖର ବିସ୍ତୀର୍ଣ୍ଣ ଚାଷଜମିକୁ ଜଳସେଚନ ହେଉଥିଲା। ମାତ୍ର ରକ୍ଷଣାବେକ୍ଷଣର ଅଭାବ ଓ ପୁନରୁଦ୍ଧାର କାର୍ଯ୍ୟ ନହେବାରୁ ପୋଖରୀଟି ଅକାମୀ ହୋଇପଡ଼ିଛି । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି । ଅଭିଯୋଗ ପାଇବା ପରେ ବିଧାୟକ ରୂପେଶ ପାଣିଗ୍ରାହୀ ପୋଖରୀ ନିକଟରେ ପହଞ୍ଚି ବଡବନ୍ଧର ସ୍ଥିତି ସମୀକ୍ଷା କରିଥିଲେ। ପରେ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ବଡବନ୍ଧର ପୁନରୁଦ୍ଧାର ହେଲେ ଆଖପାଖର ବହୁ ଚାଷଜମିକୁ ଜଳସେଚନ ସୁବିଧା ମିଳିବା ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଚାଷୀମାନେ ଆଶା ପ୍ରକାଶ କରିଛନ୍ତି। ପରିଦର୍ଶନ ବେଳେ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଏସ୍. ଶ୍ରୀନିବାସ ରାଓ, ସରପଞ୍ଚ ଏଦେଙ୍ଗା ଶବରଙ୍କ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily