Categories: ଜାତୀୟ

ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ

ନୂଆଦିଲ୍ଲୀ,୨୪।୯: ଦୁର୍ନୀତି ମାମଲାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୟେଦୁରପ୍ପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏନେଇ ଘରୋଇ ଅଭିଯୋଗକାରୀଙ୍କୁ ନୋଟିସ ଜାରି କରିଛନ୍ତି। ୟେଦୁରପ୍ପା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସାମାଜିକ କର୍ମୀ ଟି.ଜେ. ଆବ୍ରାହମ୍‌ ଦୁର୍ନୀତି ଅଭିଯୋଗ ଆଣିଥିଲେ। ବେଙ୍ଗାଲୁରୁ ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାମ ଠିକା ଦେବା ଲାଗି ସେମାନେ ରାମଲିଙ୍ଗମ୍‌ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ ଓ ଅନ୍ୟ ସେଲ୍‌ କମ୍ପାନୀଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେସନ୍ସ କୋର୍ଟ ଉକ୍ତ ଅଭିଯୋଗକୁ ଖାରଜ କରିଦେଇଥିଲେ। କିନ୍ତୁ ଗତ ୭ ତାରିଖରେ କର୍ନାଟକ ହାଇକୋର୍ଟ ଉକ୍ତ ଅଭିଯୋଗକୁ କାଏମ ରଖିଥିଲେ।

Share