ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ ବିନା କିଛି ଏସିଡିଟି ଔଷଧ ବିକ୍ରି କରାଯାଇପାରିବ ନାହିଁ। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (CDSCO) ପକ୍ଷରୁ ଏନେଇ ନୂଆ ସର୍ତ୍ତ ରଖାଯାଇଛି।

ବିଶେଷ କରି ଏସିଡିଟି ଓ ପେଟ ସମ୍ବନ୍ଧୀୟ ସମସ୍ୟାରେ ବ୍ୟବହୃତ ଭୋନୋପ୍ରାଜାନ (Vonoprazan) ଔଷଧର ବିକ୍ରିକୁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ସହ ଯୋଡ଼ାଯାଇଛି। ଅର୍ଥାତ୍‌ ଏଣିକି ଏହି ଔଷଧ କିଣିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇପାରେ।

CDSCO ପକ୍ଷରୁ କୁହାଯାଇଛି ଯେ, ଯଦି କାହାକୁ ବାରମ୍ବାର ଏସିଡିଟି ହେଉଛି ଏବଂ ଦୀର୍ଘ ସମୟ ଧରି ଔଷଧ ଖାଇବାକୁ ପଡ଼ୁଛି, ତେବେ ଏହାର ମୂଳ କାରଣ ଜାଣିବା ଆବଶ୍ୟକ। କାରଣ କିଛି ଔଷଧକୁ ଦୀର୍ଘ ସମୟ ଧରି ସେବନ କଲେ ଶରୀରରେ ଭିଟାମିନ B12 ଓ ମ୍ୟାଗ୍ନେସିୟମର ଅଭାବ ଦେଖାଦେଇପାରେ।

ତେବେ ଏହାର ଅର୍ଥ ନୁହେଁ ଯେ ଔଷଧ ସେବନ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଏଭଳି ସମସ୍ୟା ଦେଖାଦେବ। କିନ୍ତୁ ପ୍ରତିଦିନ କିମ୍ବା ଦୀର୍ଘ ସମୟ ଧରି ଏସିଡିଟି ଔଷଧ ନେବାର ଆବଶ୍ୟକତା ପଡ଼ୁଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଏସିଡିଟିର ଚିକିତ୍ସାରେ ବ୍ୟବହୃତ ଭୋନୋପ୍ରାଜାନ ଔଷଧକୁ ନେଇ ଏହି ପରିବର୍ତ୍ତନ ସାମ୍ନାକୁ ଆସିଛି। ଏହି ଔଷଧର ୧୦ ଓ ୨୦ ମିଲିଗ୍ରାମ ଡୋଜ ଭାରତରେ ପୂର୍ବରୁ ଅନୁମୋଦିତ ହୋଇଛି। ଏବେ ଏହାର ଦୋକାନରୁ ବିକ୍ରି ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଆଧାରରେ କରିବାକୁ କୁହାଯାଇଛି।

ବିଶେଷ କରି ପେଟ ଓ ଅନ୍ତନଳୀ ସମ୍ବନ୍ଧୀୟ ରୋଗର ବିଶେଷଜ୍ଞ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଆବଶ୍ୟକ ହେବ ବୋଲି କୁହାଯାଇଛି।

Dharitri – Odisha’s No.1 Odia Daily

Share