ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍‌ ଆକ୍ରମଣ, ସିସିଟିଭିରେ କଏଦ ହେଲେ ସନ୍ଦିଗ୍ଧ

ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଯାଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭିରେ ଘଟଣା କଏଦ ହୋଇଥିବା ବେଳେ ପୋଲିସ ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।

ଲକ୍ଷ୍ନୌର ଗୋମତିନଗରର ବିରାମ ଖଣ୍ଡ-୩ରେ ଏହି ଘଟଣା ଘଟିଛି। ଏଠାରେ ୪୦ ବର୍ଷୀୟ ଅନୀତା ବର୍ମା ନିଜର ୩ ସନ୍ତାନ ସମେତ ପରିବାର ସଦସ୍ୟଙ୍କ ସହ ରୁହନ୍ତି। ଶନିବାର ରାତିରେ ଜଣେ ଯୁବକ ତାଙ୍କ ଘରକୁ ଆସି କବାଟ ବାଡାଇଥିଲେ। ଅନୀତା ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ସାନ ପୁଅ ବିକାଶ ମଧ୍ୟ ବାହାରକୁ ଚାଲି ଆସିଥିଲେ। ଅଭିଯୁକ୍ତଜଣଙ୍କ ଦୁହିଁଙ୍କ ଉପରେ ଏସିଡ ପକାଇ ଫେରାର ହୋଇଯାଇଥିଲେ। ଏଥିରେ ଦୁହେଁ ଗୁରୁତର ହୋଇଛନ୍ତି।

ତେବେ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରାଯାଉଛି। ସ୍ଥାନୀୟ ଏକ ଘରେ ଲଗାଯାଇଥିବା ସିସିଟିଭିରେ ଦୁଇଜଣ ଯୁବକ ଗୋଟିଏ ଲେଖାଏ ବୋତଲ ଧରି ବାଇକ୍‌ରେ ଯାଉଥିବା ଦେଖାଯାଇଛି। ସେମାନଙ୍କ ଚେହେରା ସ୍ପଷ୍ଟ ନ ଥିଲେ ମଧ୍ୟ ପୋଲିସ ଏହି ଆଧାରରେ ତାଙ୍କୁ ଖୋଜୁଛି।

Share