ପୂଜକ ବେଶରେ ଅଭିଯୁକ୍ତ ଗିରଫ

ଦେବଗଡ଼,୧୭।୪(ଡି.ଏନ.ଏ.): ଦେବଗଡ଼ ସହରର ଜଣେ କପଡା ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ଯୁବକ ଅତୁଲ୍ୟ ମିଶ୍ରଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଯୁବକ ଛଦ୍ମବେଶରେ ରହିଥିଲେ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲ ଗ୍ରାମରେ ରହି ନିକଟସ୍ଥ ପଥରଘାଟ ହନୁମାନ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଥିଲେ। ଅତୁଲ୍ୟଙ୍କ ଘର ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ।
କିଛିବର୍ଷ ହେଲା ଦେବଗଡ଼ ଥାନା ଅନ୍ତର୍ଗତ ସରତଳା ଗ୍ରାମରେ ରହି ଅତୁଲ୍ୟ ବ୍ୟବସାୟ କରୁଥିଲେ। ଗତ ୨୦୨୦ ଜାନୁୟାରୀରେ ଦେବଗଡ଼ ସହର ମୁଖ୍ୟ ବଜାରର ରାଜେଶ ଗୋଏଲ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ବ୍ୟବସାୟୀ ରାଜେଶ ଏ ସମ୍ପର୍କରେ ସେହିମାସ ୫ ତାରିଖରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଅଭିଯୁକ୍ତ ଅତୁଲ୍ୟ ଫେରାର ହୋଇଯିବାରୁ ତାଙ୍କୁ ଗିରଫ କରିପାରି ନ ଥିଲା। ପରବର୍ତ୍ତୀ ସମୟରେ ପୋଲିସ କୋର୍ଟ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏହା ସଫଳ ହୋଇ ନ ଥିଲା। ଅତୁଲ୍ୟ ନିଜର ବେଶ ବଦଳାଇ ମନ୍ଦିର ପୂଜକ ସାଜିଥିଲେ। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସ୍‌ପି ମନୋଜ କୁମାର ମାହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦେବଗଡ଼ ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର, ଦେବଗଡ଼ ଆଦଶର୍ର୍ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ସବ୍‌ଇନ୍ସପେକ୍ଟର ଡି.ଦଳେଇ ଚମ୍ପାମାଲ ଗ୍ରାମକୁ ଯାଇ ଚଢାଉ କରିଥିଲେ। ଅତୁଲ୍ୟଙ୍କ ନାମରେ ବିଭିନ୍ନ ଥାନାରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲା ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।