ନୂଆଦିଲ୍ଲୀ,୨୫ା୫(ପି.ଟି.):ଦିଲ୍ଲୀ ଲାଲ୍କିଲ୍ଲା ବିସ୍ଫୋରଣ ମାମଲାରେ ଚାର୍ଜଶିଟ୍ ହୋଇଥିବା ଅଭିଯୁକ୍ତଙ୍କର ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଅଲ୍କାଏଦା ସହ ସମ୍ପୃକ୍ତି ରହିଛି ଓ ସେ ବୋମା ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟ୍ଫର୍ମର ଦୁରୁପଯୋଗ କରିଥିଲେ। ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏହା ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ରକେଟ ଆଇଇଡି (ଉନ୍ନତ ବିସ୍ଫୋରକ ଉପକରଣ) ତିଆରି କରିବା ସହ ସେଗୁଡ଼ିକୁ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ କାଜିଗୁଣ୍ଡ ଜଙ୍ଗଲରେ ପରୀକ୍ଷା କରିଥିଲେ।
ଗତବର୍ଷ ନଭେମ୍ବର ୧୦ରେ ଲାଲ୍କିଲ୍ଲା ନିକଟରେ ଆଇଇଡି ଖଞ୍ଜାଯାଇଥିବା ଏକ କାର୍ ବିସ୍ଫୋରଣ ହେବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ୩୦ ଜଣ ଆହତ ହୋଇଥିଲେ। ଏନ୍ଆଇଏ ଗତ ୧୪ ତାରିଖରେ ୭,୫୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଥିଲା। ଏନ୍ଆଇଏ କୋର୍ଟରେ ଦାଖଲ ହୋଇଥିବା ଉକ୍ତ ଚାର୍ଜଶିଟ୍ ଅନୁଯାୟୀ, ଆଇଇଡି ତିଆରି ଏବଂ ବ୍ୟବହାରରେ ଅଭିଯୁକ୍ତମାନେ ଅତ୍ୟନ୍ତ ସତର୍କତା ଏବଂ ପ୍ରାୟ ଲାବରେଟୋରି ଗ୍ରେଡ୍ର ପଦ୍ଧତି ଅବଲମ୍ବନ କରିଥିଲେ। ଚାର୍ଜଶିଟ୍ ହୋଇଥିବା ଜଣେ ଅଭିଯୁକ୍ତ ଅନସର ଘଜଓ୍ବତ-ଉଲ୍ ହିନ୍ଦ୍ ଆତଙ୍କବାଦୀ ମଡ୍ୟୁଲ୍ର ଇନ୍ହାଉସ୍ ଇଞ୍ଜିନିୟର ଏବଂ ତାଙ୍କର ଅଲ୍ କାଏଦା ସହ ସମ୍ପୃକ୍ତି ଥିବା ଜଣାପଡ଼ିଛି। ପୂର୍ବରୁ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି କ୍ୟାମ୍ପ୍ସରେ ରହୁଥିବା ଅଭିଯୁକ୍ତ ଜସିର ବିଲାଲ ଓ୍ବାନି ଷଡ଼ଯନ୍ତ୍ର ପାଇଁ ୨୦୨୪-୨୫ରେ ୨/୩ଟି ଘଟଣାରେ ପ୍ରଯୁକ୍ତିଗତ ସହାୟତା ଯୋଗାଇଥିଲେ ବୋଲି ଚାର୍ଜଶିଟ୍ରେ ଉଲ୍ଲେଖ ରହିଛି।