ସଲମାନଙ୍କ ଘର ଉପରକୁ ଗୁଳିମାଡ଼, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

ମୁମ୍ବାଇ: ରବିବାର ସକାଳେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଦୁଇଜଣ ବାଇକ୍‌ ଆରୋହୀ ବାନ୍ଦ୍ରାସ୍ଥିତ ଭାଇଜାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଗୁଳି ଚଳାଇ ପବନ ବେଗରେ ପଳାଇ ଯାଇଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ। ଏହି ଆକ୍ରମଣ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଲମାନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହି ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଆକ୍ରମଣକାରୀମାନେ ବାଇକ୍‌ରେ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆଶ୍ୱାସନା ଦେଇଥିଲେ। ସଲମାନଙ୍କ ସହ କଥା ହେବା ପରେ ସିନ୍ଦେ ମୁମ୍ବାଇ ପୋଲିସ କମିଶନରଙ୍କୁ ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇର ବାନ୍ଦ୍ରା ପୋଲିସ ଏହି ଗୁଳିମାଡ଼ରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଥାଉକି, ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନେକ ଥର ଧମକ ଦିଆଯାଇଛି। ନଭେମ୍ବର ୨୦୨୩ରେ ସଲମାନଙ୍କୁ ଧମକ ମିଳିଥିଲା।

Share