କେନ୍ଦ୍ରାପଡାରୁ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର,୨୪।୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ବୈଜୟନ୍ତୀ ସାହୁଙ୍କୁ ଅଫିସ ଭିତରେ ଛୁରି ଭୁସି ହତ୍ୟା ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ପୋଲିସ କେନ୍ଦ୍ରାପଡାରୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ରମେଶ ବାରିକ। ସେ ପୂର୍ବରୁ ଉକ୍ତ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଥିଲେ। ତେବେ ସେ ଯୁବତୀଙ୍କୁ କାହିଁକି ହତ୍ୟା କଲେ ତାହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଟଙ୍କା କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ ସଂସ୍ଥାର ଅନ୍ୟଜଣେ ଯୁବତୀ ରମେଶଙ୍କଠାରୁ ୧୫ହଜାର ଟଙ୍କା ଧାର ନେଇ ଫେରାଉ ନ ଥିଲେ। ଉକ୍ତ ଟଙ୍କା ପାଇଁ ରମେଶ ସେଠାକୁ ବାରମ୍ବାର ଯାଇ ବିଫଳ ହେବା ପରେ ରାଗରେ ରିସେପ୍ସନିଷ୍ଟ ଥିବା ବୈଜୟନ୍ତୀଙ୍କୁ ଛୁରି ଭୁସି ଦେଇଥିବା ଅଭିଯୁକ୍ତ ପୋଲିସ୍‌କୁ କହିଛନ୍ତି। କିନ୍ତୁ ଏହାର ସତ୍ୟତା କେତେ ତାହା ଜାଣିବାକୁ ପୋଲିସ ଅନ୍ୟ କେତେକ ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ପ୍ରେମ ଓ ମାଲିକଙ୍କ ସହ ଶତ୍ରୁତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିବାରୁ ପୋଲିସ ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରି ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ ଜାରି ରଖିଥିବା ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାନୁସାରେ, ଜଗତ୍‌ସିଂପୁର ଜିଲା ନାଉଗାଁ ଅଞ୍ଚଳର ବୈଜୟନ୍ତୀ ଜିଜିପି କଲୋନୀରେ ଥିବା ଫାୟାର୍‌ ଆଣ୍ଡ୍‌ ସେଫ୍ଟି ଏଜେନ୍ସିରେ ରିସେପ୍ସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେଠାରେ ସିକ୍ୟୁରିଟି ଗାର୍ଡ ଥିବା ରମେଶ ଗତ ୨୦ ତାରିଖ ରଥଯାତ୍ରା ଦିନ ପୂର୍ବାହ୍ନରେ ଅଫିସକୁ ଯାଇଥିଲେ। ସେଠାରେ ବୈଜୟନ୍ତୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ରମେଶ ହଠାତ୍‌ ଅଣ୍ଟାରୁ ଏକ ଛୁରି ବାହାର କରି ତାଙ୍କ ପେଟକୁ ଭୁସି ଦେଇଥିଲେ। ଜୀବନ ବିକଳରେ ସେ ଅଫିସ ଭିତରକୁ ଦୌଡିବା ବେଳେ ତଳେ ପଡିବାରୁ ଅଭିଯୁକ୍ତ ତାଙ୍କ ପେଟ ଓ ଶରୀରକୁ ବାରମ୍ବାର ଛୁରାମାଡ଼ କରିଥିଲେ। ରକ୍ତମୁଖା ରମେଶକୁ ଦେଖି ଭୟରେ କର୍ମଚାରୀମାନେ ଆଗକୁ ଆସି ନ ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଜଣକ ଚଟାଣରେ ଚେତାଶୂନ୍ୟ ହୋଇପଡିଯିବା ପରେ ଅଭିଯୁକ୍ତ ରମେଶ ସେଠାରୁ ଫେରାର୍‌ ହୋଇଯାଇଥିଲା। ଏହାପରେ କର୍ମଚାରୀମାନେ ବୈଜୟନ୍ତୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେଠାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ରାତିରେ ପରିବାର ଲୋକେ ମୃତଦେହକୁ ଆମ୍ବୁଲାନ୍ସରେ ଆଣି ମଞ୍ଚେଶ୍ୱର ଥାନା ସମ୍ମୁଖରେ ରଖି ଧାରଣା ଦେଇଥିଲେ। ପୋଲିସ ବୁଝାଶୁଝା କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।