ସନ୍ଥବାବାଙ୍କୁ ହତ୍ୟା ଘଟଣା: ଅର୍ଥଲୋଭରେ ମାରିଥିଲେ ଅଭିଯୁକ୍ତ

ଅତାବିରା,୫।୩: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ବରୀ ଆଶ୍ରମରୁ ଜଣେ ସନ୍ଥବାବା ସ୍ବାମୀ ଦାମୋଦର ସଦା ବାବା(୭୫)ଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତ ରେଙ୍ଗାଲିକ୍ୟାମ୍ପ ମାଲିପଡାର ସୁରେନ ପଟେଲ(୨୯)ଙ୍କୁ ଗିରଫ କରିଛି । ଶୁକ୍ରବାର ଅତାବିରା ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇ କହିଥିଲେ, ଗିରଫ ଅଭିଯୁକ୍ତ ସୁରେନ ମୃତ ସନ୍ଥବାବାଙ୍କ ସହିତ ପୂର୍ବରୁ ସମ୍ପର୍କ ସ୍ଥାପନ କରି ଆଶ୍ରମକୁ ଯିବା ଆସିବା କରୁଥିଲେ। ତେବେ ତାଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖାଯିବାରୁ ଅର୍ଥଲୋଭରେ ସୁରେନ ମୃତ ସନ୍ଥବାବାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଥିବା ଏସଡିପିଓ ଗୋଚ୍ଛାୟତ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ହତ୍ୟା ମାମଲା (ନଂ-୫୦/୨୧) ରୁଜୁ ହୋଇଛି। ଖବରଦାତା ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତମାସ ୨୨ ତାରିଖ ଆଶ୍ରମ ଭିତରୁ ମୃତ ସନ୍ଥଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ ହୋଇଥିଲା । ଘଟଣାସ୍ଥଳର ପାରିପାଶର୍‌ବିକ ସ୍ଥିତିରୁ ତାହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଇଥିଲା। ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ପୋଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।