ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ ହଷ୍ଟେଲରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଫେରୁଥିବା ବ୍ରହ୍ମପୁର ବାପୁଜୀ ନଗର ୪ର୍ଥ ଲେନରେ ରହୁଥିବା ଗଜପତି ଜିଲା ରାମଗିରି ଥାନା ବଲାଡ଼ି ଗ୍ରାମର ସୁଭ୍ରତାରାଣୀ ପ୍ରଧାନ, ତାଙ୍କ ଭାଇ ଜ୍ଞାନଜୟ ପ୍ରଧାନ,ସମ୍ପର୍କୀୟ ଭଉଣୀ ସନ୍ତୋଶୀ ପ୍ରଧାନଙ୍କୁ ଗତ ୨୦୨୩ ଅଗଷ୍ଟ ୧୩ ତାରିଖ ଅପରାହ୍ନ ପ୍ରାୟ ୩ ଟାରେ ୬ ଜଣ ଅଜ୍ଞାତ ଯୁବକ ମହୁଡ଼ା ଗ୍ରାମ ନିକଟ ନିକାଞ୍ଚନ ରାସ୍ତାରେ ଜବରଦସ୍ତ ଅଟକାଇ ମାଡ଼ ମାରି ବନ୍ଧୁକ ଦେଖାଇ ଉଭୟଙ୍କ ନିକଟରୁ ସୁନା ଚେନ,ମୁଦି,୨ ଟି ମୋବାଇଲ ଫୋନ ଓ ଟଙ୍କା ଛଡାଇ ଚମ୍ପଟ ମାରିଥିଲେ। ଏହି ଡକାୟତି ଘଟଣା ନେଇ ସୁଭ୍ରତାରାଣୀ ପ୍ରଧାନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଥାନା ଆଇଆଇସି ଏତଲାକୁ ଭିତ୍ତିକରି ମାମଲା ନଂ.୨୯୫/୨୩ ଆଇପିସି ର ଦଫା – ୩୯୫ ଏବଂ ଆର୍ମ୍ମସ ଆକ୍ଟର ଧାରା – ୨୭ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଯୁବକଙ୍କୁ ତଦନ୍ତକାରୀ ଅଧିକାରୀ ତଥା ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ବୁଧବାର ରାତି ପ୍ରାୟ ସାଢେ ୮ ଟାରେ ଦିଗପହଣ୍ଡି ପୁଞ୍ଜିକଂୟା ଛକରୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା ଥାନା ଜୁଗୁଡ଼ି ଗ୍ରାମର ଶଙ୍କର ଗୌଡ଼(୩୪)। ଅଭିଯୁକ୍ତଙ୍କୁ ଗୁରୁବାର ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ସୁଭ୍ରତାରାଣୀଙ୍କ ସାନଭାଇ କିରଣ କୁମାର ପ୍ରଧାନ କଙ୍କିଆ ଗ୍ରାମ ସ୍ଥିତ ଗ୍ରାମବିକାଶ କେନ୍ଦ୍ରୀୟ ବିଦ୍ୟାଳୟ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କୁ ଦେଖା କରି ସ୍କୁଟି (ନଂ. ଓଡ଼ି୦୭ ଏଏଲ -୩୧୩୨) ରେ ଭାଇ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ସହ ଫେରୁଥିବା ବେଳେ ୬ ଅଭିଯୁକ୍ତ ସେମାନଙ୍କୁ ମାଡ଼ ମାରି ଡକାୟତି କରିଥିଲେ । ଏହି ଡକାୟତି ଘଟଣାରେ ପୋଲିସ ପୂର୍ବରୁ ଜଣେ ଅଣଓଡିଆ ଯୁବକଙ୍କ ସହ ୫ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଅନ୍ତରୀଣ ଚାର୍ଜସିଟ କୋର୍ଟକୁ ପ୍ରଦାନ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଶଙ୍କରଙ୍କ ନାଁ ରେ ଦିଗପହଣ୍ଡି, ଗୋଳନ୍ଥରା,କେ.ନୂଆଗାଁ ଥାନାରେ ୧୨ ଟି ସଙ୍ଗୀନ ଅପରାଧିକ ମାମଲା ରହିଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।

Dharitri – Odisha’s No.1, Most Trusted Odia Daily

Share