ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନର ଫେରାର ପରେ ମୁଖ୍ୟ ଅଭିଯୁକ୍ତ କାଳୁ ମଣ୍ଡଳଙ୍କୁ ପାଟପୁର ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ, ଗତ ୨୦୨୫ ଡିସେମ୍ବର ୧୬ ତାରିଖରେ ଦଶମ ଶ୍ରେଣୀରେ ପଢ଼ୁଥିବା ସମ୍ପୃକ୍ତ ନାବାଳିକାଙ୍କୁ ଅଭିଯୁକ୍ତ କାଳୁ ମଣ୍ଡଳ ଅପହରଣ କରି ନେଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ପାଟପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବାରୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।
ଶନିବାର ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ଟ୍ରାକିଂ କରିବା ପରେ ତାହା ଦିଗପହଣ୍ଡି ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ସୁଲେମାନ ଭୁଁୟା ସଦଳବଳେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ପୋଲିସ ପୀଡ଼ିତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଖସି ପଳାଇବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ କାଳୁ ମଣ୍ଡଳଙ୍କୁ କାବୁ କରିଥିଲା।
ଶନିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ସହ ଥାନାରେ ଜଣେ ମହିଳା ପୋଲିସ ଅଧିକାରୀ ମଧ୍ୟ ତାଙ୍କର ବୟାନ ଲିପିବଦ୍ଧ କରିଛନ୍ତି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ପୀଡ଼ିତାଙ୍କୁ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତଙ୍କୁ ବର୍ତ୍ତମାନ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

