ଜେଲ ଗଲେ ଅଭିଯୁକ୍ତ ବାପା, ମା’ ଓ ପୁଅ

ଅମରପାଲି, ୨୧।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରକାଶ ବିଶ୍ୱାଳ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ ମା’,ବାପା ଓ ପୁଅଙ୍କୁ ଗିରଫ ପୋଲିସ କରି ସୋମବାର କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ଶିବ ପଧାନ(୫୨), ତାଙ୍କ ସ୍ତ୍ରୀ ଦମୟନ୍ତି ପଧାନ(୪୯) ଓ ପୁଅ ଦୁଃଶାସନ ପଧାନ(୨୯)। ଅଭିଯୋଗମତେ କମିରା ଗ୍ରାମରେ ଏକ ସରକାରୀ ଜମିରେ ଅଭିଯୁକ୍ତ ଶିବ ପଧାନ ଦଖଲ କରିଥିଲେ। ଶନିବାର ସେହି ଜମିରେ ଶିବ ମାଟି କାମ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଶିବ ସେହି ଜମିକୁ ଲାଗି ରହିଥିବା ଉକ୍ତ ଗ୍ରାମର ପ୍ରକାସ ବିଶ୍ବାଳଙ୍କ ରୟତି ଜମିକୁ ମଧ୍ୟ ଦଖଲ କରିବାକୁ ଉଦ୍ୟମ କରୁଥିଲେ। ଏହାରୁ ପ୍ରତିବାଦ କରିବାରୁ ଶିବ, ତାଙ୍କ ସ୍ତ୍ରୀ ଦମୟନ୍ତି ଓ ପୁଅ ଦୁଃଶାନସନ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ପ୍ରକାଶଙ୍କ ମୃତ୍ୟୁ ହୋଇ ଯାଇଥିଲା। ହତ୍ୟାର ଶିକାର ପ୍ରକାଶଙ୍କ ମାମୁ ବାବୁଲାଲା ସାହୁଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା(୨୭/୨୩) ରୁଜୁ ହୋଇଥିଲା।