ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୋଲିସ ଗିରଫ କରିଥିଲା। ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡିଯିବା ଭୟରେ ଗଣମାଧ୍ୟମକୁ ଏ ସମ୍ପର୍କରେ ନଜଣାଇବା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି।
ଆର୍‌.ଉଦୟଗିରି ପୋଲିସ କାନକଟା ଚେକ୍‌ଗେଟରେ ଗୁରୁବାର ଗାଡ଼ି ଯାଞ୍ଚ ବେଳେ ଏକ ପିକଅପ୍‌ ଭ୍ୟାନରୁ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଅଡ଼ବା ଥାନା ଗୁଙ୍ଗିମେରା ଗ୍ରାମର କରୁଣା ଗମାଙ୍ଗ, ପୁରୀ ଜିଲା ବ୍ରହ୍ମଗିରି ଥାନା ବେଣ୍ଟପଡ଼ାର ଶରତ ଦେ ଏବଂ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ନଂ.୫୬/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଥାନା ହାଜତରେ ରଖାଯାଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୨ଟାରେ ପ୍ରମୋଦ ଶୌଚାଳୟ ଯାଇଥିଲେ। ଶୌଚାଳୟ ଭେଣ୍ଟିଲେସନ ଝରକା କାଚ ଭାଙ୍ଗି ପାଚେରି ଡେଇଁ ପ୍ରମୋଦ ଚମ୍ପଟ ମାରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ନ ଆସିବାରୁ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଶୌଚାଳୟ କବାଟ ଭାଙ୍ଗିବା ପରେ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଏନେଇ ଆର.ଉଦୟଗିରି ପୋଲିସ ନଂ.୨୪୭/୨୦ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଖୋଜୁଛି। ରାମଗିରି, ମୋହନା ଓ ଆର.ଉଦୟଗିରି ଥାନା ଅଧିକାରୀ ନେତୃତ୍ୱରେ ୩ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ଏସ୍‌ଡିପିଓ ଅନିଲ କୁମାର ପ୍ରଧାନ କହିଛନ୍ତି।
ଶୌଚାଳୟର ଭେଣ୍ଟିଲେଶନ ଝରକା ଦେଇ କିପରି ଅଭିଯୁକ୍ତ ଖସି ପଳାଇଲେ ତାହା ସନ୍ଦେହ ସୃଷ୍ଟି କରିଥିବାବେଳେ ଏନେଇ ପୋଲିସ ଅଧିକ କିଛି କହିବାକୁ ମନା କରିଥିଲେ।