ଅଭିଯୁକ୍ତ ବୋହୂ, ପୁଅ ଗିରଫ

ଯାଜପୁର ଟାଉନ,୫ା୪(ଡି.ଏନ.ଏ.):ଯାଜପୁର ଜିଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ଦତ୍ତପୁର ଗ୍ରାମର ମଖି ବେହେରା (୮୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ତାଙ୍କ ବୋହୂପୁଅ ନିର୍ଯାତନା ଦେଉଥିଲେ। ଏପରି କି ତାଙ୍କୁ ଇଟାରେ ପୋତି ହତ୍ୟା ଉଦ୍ୟମ କରିଥିଲେ ା ଏ ସଂକ୍ରାନ୍ତରେ ମଖି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ.୨୧୫/୨୨)ରେ ରୁଜୁ କରିଛି ା ମଖିଙ୍କ ସାନ ବୋହୂ ଓ ପଡୋଶୀ ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ା ମଖିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ପୁଅବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା
ସୂଚନାଯୋଗ୍ୟ, ୧୦ ବର୍ଷ ତଳେ ମଖିଙ୍କ ସ୍ବାମୀ ତୌଲି ଆରପାରିକୁ ଚାଲିଯାଇଥିଲେ। ସ୍ବାମୀଙ୍କ ଫେରି ବ୍ୟବସାୟକୁ ଆଧାର କରି ମଖି ଗାଁରେ ବୁଲି ମଟର ବିକି ୪ ପୁଅଙ୍କୁ ମଣିଷ କରିଥିଲେ ା ଆଶା ଥିଲା ବୃଦ୍ଧାକାଳରେ ପୁଅମାନେ ସାହାରା ହେବେ। ହେଲେ ୪ ପୁଅ ବିବାହ କରିବା ପରେ ବାପାଙ୍କ ଜମିବାଡ଼ିକୁ ନିଜ ଅକ୍ତିଆରକୁ ନେବାକୁ ଲାଗିପଡ଼ିଥିଲେ ା ଗତ ଶନିବାର ମଝିଆଁ ପୁଅ ରଘୁନାଥ ଓ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଦାବି ରଖିଥିଲେ। ରଘୁନାଥଙ୍କ ଏହି ଦାବିକୁ ମଖି ଅଗ୍ରାହ୍ୟ କରିଦେବାରୁ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର। ପୁଅ ବୋହୂ ମିଳିମିଶି ମଖିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ା ଏତିକିରେ କଥା ସରି ନ ଥିଲା ା ଘର ତିଆରି ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ। ଯନ୍ତ୍ରଣାରେ ଛଟ ପଟ ମଖି ଚିତ୍କାର କରୁଥିଲେ ମଧ୍ୟ ପୁଅ ବୋହୂ ଶୁଣିବାକୁ ପ୍ରସ୍ତୁତ ନ ଥିଲେ।