ପୂଜାରୀ ସାହି ହତ୍ୟା ଘଟଣା, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୧।୫: ଭଦ୍ରକ ସହର ପୂଜାରୀ ସାହିର ଯୁବକ ନୀଳକଣ୍ଠ ଦାସଙ୍କୁ ଧାମରା ବ୍ରିଜ ନିକଟରେ ଗତ ଫେବୃୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ହତ୍ୟାର ୩ ମାସ ପରେ ପୋଲିସ କୁଆଁସ ଅଞ୍ଚଳର ଅଭିଯୁକ୍ତ ସାଗର ଦାସଙ୍କୁ ବୁଧବାର ତାମିଲନାଡୁରୁ ଧରିବାରେ ସଫଳ ହୋଇଛି । ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଏସଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି । ନୀଳକଣ୍ଠ ସହିତ ସାଗରର ପୂର୍ବ ଶତ୍ରୁତା ଲାଗି ରହିଥିଲା। ଘଟଣା ଦିନ ରାଜଘାଟ ପୋଲ ନିକଟରେ ଉଭୟ ଦେଖା ହୋଇଥିଲେ। ସାଗର ତାଙ୍କୁ ସାଙ୍ଗରେ ଏକ ଅଟୋ ଯୋଗେ ଡାକି ଜାତୀୟ ରାଜପଥ ଧାମରା ବ୍ରିଜ ନିକଟକୁ ନେଇଥିଲା । ସେଠାରେ ସାଙ୍ଗରେ ମଦ ପିଇବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସାଗର ଉତ୍ତ୍ୟକ୍ତ ହୋଇ ମ୍ୟୁନିସିପାଲିଟି ଘାସ କଟା କତାରେ ନୀଳକଣ୍ଠର ମୁଣ୍ଡ ଓ ବେକକୁ ହାଣିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ଭାଇ ତ୍ରିଲୋଚନ ଦାସଙ୍କ ଅଭିଯୋଗ କ୍ରମେ ନମ୍ବର ୫୦/୨୩ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଏଥିରେ ସମ୍ପୃକ୍ତ ସାଗରଙ୍କ ଶାଶୁ ଓ ସ୍ତ୍ରୀଙ୍କୁୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସମ୍ମିଳନୀରେ ଆଇଆଇସି ଅମିତାଭ ଦାସ ଉପସ୍ଥିତ ଥିଲେ।