ମିଥ୍ୟା ବିଲ୍‌ କରି ଟଙ୍କା ହଡ଼ପ ଅଭିଯୋଗ

ବଇଣ୍ଡା, ୫ା୪ (ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ସାନହୁଲା ହାଇସ୍କୁଲ ଖେଳପଡିଆର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଯାଇ ମିଥ୍ୟା ବିଲ୍‌ କରି ଟଙ୍କା ହଡପ କରାଯାଇଥିବା ବଡ଼ବର ଗ୍ରାମର ଦୁର୍ଯ୍ୟୋଧନ ସାହୁ ସୋମବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାର ନକଲ ଅନୁଗୋଳ ଭିଜିଲାନ୍ସ କାର୍ଯ୍ୟାଳୟ, ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।
ଅଭିଯୋଗପତ୍ରରେ ସାହୁ ଉଲ୍ଲେଖ କରିଛନ୍ତି, ଉକ୍ତ ଖେଳ ପଡିଆର ଉନ୍ନତୀକରଣ କାର୍ଯ୍ୟ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା। ମୁଖ୍ୟ ଫାଟକ ନିର୍ମାଣ ସରିଥିବା ବେଳେ ବ୍ଲକ କନିଷ୍ଠଯନ୍ତ୍ରୀ ବିଲ୍‌ ପାସ କରୁନାହାନ୍ତି। କିନ୍ତୁ ପଡିଆରେ କୌଣସି ସିମେଣ୍ଟ ଚେୟାର, କଲଭର୍ଟ ନିର୍ମାଣ କରା ନ ଯାଇ ଠାକୁରଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ନାମରେ ୩୮ ହଜାର ଟଙ୍କାର ମିଥ୍ୟା ବିଲ୍‌ କରି ଟଙ୍କା ହଡପ କରାଯାଇଛି। ଏ ନେଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଚପାଇ ଦେବାକୁ ଉଦ୍ୟମ କରାଯାଉଛି। ତୁରନ୍ତ ଏହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାହୁ ଦାବି କରିଛନ୍ତି। ଏ ନେଇ ବ୍ଲକ କନିଷ୍ଠଯନ୍ତ୍ରୀ ଅରୁଣ କୁମାର ବେହେରା କହିଛନ୍ତି, ସାନହୁଲା ହାଇସ୍କୁଲ ଖେଳପଡିଆ ଫାଟକର ବିଲ୍‌ ପାଇଁ ଫାଇଲ ପ୍ରସ୍ତୁତ ହୋଇଛି। କୌଣସି ମିଥ୍ୟା ବିଲ୍‌ କରାଯାଇନାହିଁ।