ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

ଅନୁଗୋଳ ଅଫିସ, ୩।୮: ଅନୁଗୋଳ ଜିଲାରେ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଏପରି ଅଭିଯୋଗ ନେଇ ଏକାଧିକ ଲୋକ ଥାନାକୁ ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସୋମବାର ଆଉ ୨ଟି ସାଇବର ଠକେଇ ଘଟଣା ସାମ୍‌ନାକୁ ଆସିଛି। ଜଣେ ଯୁବକଙ୍କୁ ଶସ୍ତାରେ ଗାଡ଼ି ଓ ଅନ୍ୟ ଜଣଙ୍କୁ ପୁରସ୍କାର ଦେବାର ଲୋଭ ଦେଖାଇ ସାଇବର ଠକ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ସାଇବର ଥାନା ଓ କୋଲିୟାରୀ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ପୁରୁଣାକୋଟ ଥାନା ବାଲିଝରଣ ଗ୍ରାମର ସିଦ୍ଧାର୍ଥ କୁମାର ଦାଶ ଫେସ୍‌ବୁକ୍‌ ଖେଳାଇବା ସମୟରେ ଲକ୍ଷେ ଟଙ୍କାରେ ବୋଲେରୋ ଗାଡ଼ି ମିଳୁଥିବାର ବିଜ୍ଞାପନ ଦେଖିଥିଲେ। ଏହାପରେ ସେଥିରେ ଥିବା ଫୋନ ନମ୍ବରରେ ସେ ଯୋଗାଯୋଗ କରିଥିଲେ। ଆରପଟରୁ ଠକ ଜଣଙ୍କ ବିଜ୍ଞାପନ ଅନୁଯାୟୀ ଲକ୍ଷେ ଟଙ୍କାରେ ଗାଡ଼ି ମିଳୁଥିବା କହିଥିଲେ। ଲୋଭରେ ପଡ଼ି ସିଦ୍ଧାର୍ଥ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୨୦ ହଜାର ଟଙ୍କା ଠକଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏପରି କି ଗାଡ଼ିର ଅବସ୍ଥା ଦେଖିବାକୁ ସେ ଠକଙ୍କ କଥାରେ ବିଶାଖାପାଟଣା ଯାଇଥିଲେ। ହେଲେ ସେଠାରେ ଠକଙ୍କ ଫୋନ ନ ଲାଗିବାରୁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସୋମବାର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମାନସ ମହାକୁଲ ସୂଚନା ଦେଇଛନ୍ତି। ସେହିଭଳି କୋଲିୟାରୀ ଥାନା ସାଉଥବଲଣ୍ଡା ଅଞ୍ଚଳର ଯୁବକ ପ୍ରଦୀପ କୁମାର ସାହୁ ମଧ୍ୟ ସାଇବର ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ନଂ. ୩୭୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ପ୍ରଦୀପଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ତାଙ୍କ ଫୋନ୍‌ ପେ’ରେ ରିୱାର୍ଡ ରହିଛି ବୋଲି ଠକ ଜଣଙ୍କ କହିଥିଲେ। ତେବେ ଠକଙ୍କ କଥାରେ ପଡ଼ି ପ୍ରଦୀପ ତାଙ୍କୁ ଫୋନ୍‌ ପେ’ର ପାସ୍‌ୱାର୍ଡ ଦେଇଥିଲେ। ଏହାପରେ ୪ଟି ପର୍ଯ୍ୟାୟରେ ତାଙ୍କ ଅକାଉଣ୍ଟରୁ ୨୬ ହଜାର ୪୯୦ ଟଙ୍କା କଟି ଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।