ଟ୍ରମ୍ପ୍‌ ମାନିଲେ, ବାଇଡେନ୍‌ ନିର୍ବାଚନ ଜିତିଛନ୍ତି

ଓ୍ବାଶିଂଟନ୍‌, ୧୬।୧୧: ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ ଜିତିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଲାଗି ସର୍ବସାଧାରଣରେ ସ୍ବୀକାର କରିଛନ୍ତି। ତେବେ ଭୋଟ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ମିଥ୍ୟା ଅଭିଯୋଗକୁ ସେ ପୁଣିଥରେ ଦୋହରାଇଛନ୍ତି। ନିର୍ବାଚନରେ ଜାଲିଆତି ଯୋଗୁ ବାଇଡେନ୍‌ ଜିତିଲେ ବୋଲି ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ଅଧିକାଂଶ ରାଜ୍ୟର ଭୋଟ ଫଳାଫଳ ଆସିବା ପରେ ୭ ତାରିଖରେ ବାଇଡେନ୍‌ ବିଜୟୀ ବୋଲି ଅଣଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ତେବେ ଟ୍ରମ୍ପ୍‌ ଏହାକୁ ମାନୁ ନ ଥିଲେ। ଜିତିବା ପାଇଁ ୨୭୦ ଇଲେକ୍ଟୋରାଲ ଭୋଟର ଆବଶ୍ୟକତା ଥିବାବେଳେ ବାଇଡେନ୍‌ଙ୍କୁ ୩୦୬ ଭୋଟ ମିଳିଛି। ବିଭିନ୍ନ ରାଜ୍ୟରେ ଭୋଟରେ ଜାଲିଆତି ହୋଇଥିବା ଅଭିଯୋଗ ଆଣି ଟ୍ରମ୍ପ୍‌ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏପରିକି ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବେ ନାହିଁ ବୋଲି କହିଥିଲେ। କ୍ଷମତା ହସ୍ତାନ୍ତର ବାଇଡେନ୍‌ ପ୍ରଶାସନକୁ ନୁହେଁ, ଦ୍ୱିତୀୟ ଟ୍ରମ୍ପ୍‌ ପ୍ରଶାସନକୁ କରାଯିବ ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ କହିଥିଲେ। ଫଳରେ ଆମେରିକା ଗଣତନ୍ତ୍ରର ଦୀର୍ଘ ଇତିହାସରେ ପ୍ରଥମ ଥର ପାଇଁ ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହେବାକୁ ଯାଉଥିଲା।

Share