ପଟ୍ଟାମୁଣ୍ଡାଇ, ୧।୨(ସ୍ବ.ପ୍ର.):  ଅସହାୟ ନିରୀହ ଗରିବ ଶ୍ରେଣୀର ଲୋକମାନଙ୍କ ଥଇଥାନ କରିବା ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଚାଲିଛି। ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଛି। ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଝାଟିମାଟି ଘରେ ଦିନ କାଟୁଛନ୍ତି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗଁାରେ ଜଣେ ମହିଳା ଝାଟିମାଟି ଭଙ୍ଗା ଘରେ ରହୁଥିଲେ ହେଁ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି। ଖଡିଅଣ୍ଟା ଗଁାର ବାସନ୍ତୀ ସେଠୀ ଜଣେ ଗରିବ ଶ୍ରେଣୀର ମହିଳା। ତାଙ୍କର ଆତ୍ମୀୟ କହିଲେ, ସ୍ବାମୀ ପ୍ରଭାକର ଓ ମାନସିକ ବିକାର ଦୁଇ ଝିଅ। ପ୍ରଭାକର ଗଁାରେ ପିଲାଙ୍କୁ ପଢାଇ ଚଳିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଥାଏ। ଟିଉସନ ପଇସାରେ ସେମାନଙ୍କ ପେଟକୁ ଦାନା ଯାଏ। ଏ ପରିସ୍ଥିତିରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ। ବର୍ଷା ହେଲେ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି।
ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ଏଭଳି ଦୟନୀୟ ଅବସ୍ଥାରେ ବାସନ୍ତୀ ରହୁଥିଲେ ହେଁ ପ୍ରଶାସନର ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ ହୋଇଛି। ବାସନ୍ତୀ ଆବାସ ଯୋଜନାରେ ଘରଟିଏ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ଖଡିଅଣ୍ଟା ପଞ୍ଚାୟତର ପିଇଓ ମମିତା ମଲିକଙ୍କୁ ପଚାରିବାରେ ସେ ତର୍ଜମା କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି। ଯଦି ସେ ଆବେଦନ କରିଥିବେ ଏବଂ ଯୋଗ୍ୟ ହିତାଧିକାରୀ ହୋଇଥିବେ ନିଶ୍ଚିତ ସେ ଆବାସ ଯୋଜନାରେ ଘର ପାଇବେ ବୋଲି ସେ କହିଛନ୍ତି। ସେହିପରି ଉକ୍ତ ପଡାର ତଅପୋଇ ସେଠୀ ତାଙ୍କ ଅଭିଯୋଗରେ କହିଛନ୍ତି, ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ତାଲିକାରେ ତାଙ୍କର ନଁା ରହିଥିଲା। କିନ୍ତୁ ଲାଞ୍ଚ ବାବଦ ଟଙ୍କା ଦେଇ ନ ପାରିବାରୁ ଘର ମିଳିଲା ନାହିଁ। ଏହି ଗଁାର ଅଧିକାଂଶ ଗରିବ ଶ୍ରେଣୀର ଲୋକ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷନ୍ତି। ହେଲେ ସେମାନଙ୍କର ଘର ଖଣ୍ଡିଏ ନ ଥିବାରୁ ବାଧ୍ୟ ହୋଇ ଭଙ୍ଗା ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଅସରାଏ ବର୍ଷା ହେଲେ ମୁଣ୍ଡ ଉପରେ ପାଣି ଗଳୁଛି। ହେଲେ କୋଠା ଘରେ ରହୁଥିବା ଲୋକେ ବାପା ନଁାରେ, ମା’ଙ୍କ ନଁାରେ, ପୁଣି କେହି କେହି ସ୍ତ୍ରୀ ନାମରେ ଆବାସ ନେବାର ନଜିର ରହିଛି। ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କୁ ପଚାରିବାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ଅଭିଯୋଗ ବାକ୍ସରେ ପଡିଥିବା ମତାମତ ଉପରେ ବିସ୍ତୃତ ଆଲୋଚନା ହେବ। ତା’ପରେ ଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ କହିଛନ୍ତି, ଗରିବ ହିତାଧିକାରୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ପ୍ରତ୍ୟେକ ସ୍ତରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛି। ଦଳୀୟ ଭିତ୍ତିରେ ଘର ବଣ୍ଟିବା ରାଜନୀତି ସମ୍ପୂର୍ଣ୍ଣ ରୂପେ ଜନସ୍ବାର୍ଥ ବିରୋଧୀ ବୋଲି ସେ କହିଛନ୍ତି।