ମୋହନାରେ ଆବାସ ଯୋଜନା କେଳେଙ୍କାରୀ

ମୋହନା,୭ା୭(ମନ୍ମଥ ମିଶ୍ର)ସରକାର ଆବାସ ଯୋଜନାରେ ଅସହାୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଉଛନ୍ତି। ହେଲେ କିଛି ଅସାଧୁ ନେତା ଓ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନଥିବା ଅଭିଯୋଗ ହେଉଛି। ଆବାସ ନିର୍ମାଣ ନାମରେ ହିତାଧିକାରୀଙ୍କ ଅର୍ଥକୁ ବାଟମାରଣା କରାଯାଇଥିବା ଅଭିଯୋଗ ହେଉଛି। ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ ପଞ୍ଚାୟତ ମର୍ଚିମା ଗାଁର ସବିତା ମଳିକଙ୍କ ଅଭିଯୋଗ ଆବାସ ଦୁର୍ନୀତିକୁ ପଦାରେ ପକାଇଛି। ୨୦୧୧-୧୨ରେ ସବିତା ମଳିକଙ୍କ ନାମରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସବିତାଙ୍କୁ ତତ୍କାଳୀନ ସରପଞ୍ଚ ଓ ପିଇଓ ମୋହନା ବ୍ୟାଙ୍କକୁ ଡାକି ସେଠାରେ ୫ ହଜାର ଟଙ୍କା ଦେଇଥିଲେ। ସେଥିରୁ ଖର୍ଚ୍ଚ ପାଇଁ ୨ ହଜାର ଟଙ୍କା ନେଇଥିଲେ। ଫାଉଣ୍ଡେଶନ ପକାଇ ଘର କାମ ଆରମ୍ଭ କରିବା ପାଇଁ କହିଥିଲେ। ସବିତା କୁଡିଆକୁ ଭାଙ୍ଗି ପକ୍କା ଘର ନିମନ୍ତେ ଫାଉଣ୍ଡେସନ ପକାଇଥିଲେ। ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ପଞ୍ଚାୟତକୁ ବାରମ୍ବାର ଦୌଡ଼ି ଥିଲେ ସବିତା। କିନ୍ତୁ କିଛି ମାସ ପରେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସବିତାଙ୍କୁ କୁହାଗଲା ତୁମ ନାମରେ ଥିବା ଆବାସ ଯୋଜନାରେ ନାମ କଟିଯାଇଛି। ଆଉ ଟଙ୍କା ମିଳିବ ନାହିଁ। ତେଣୁ ସବିତା ନିଜ ଉଦ୍ୟମରେ ଧୀରେ ଧୀରେ ଘର ନିର୍ମାଣ କରିଚାଲିଛନ୍ତି। କିନ୍ତୁ ଘରେ କେହି ନଥିବା ସମୟରେ ୨୦୨୨ରେ ବ୍ଲକ୍‌ ପ୍ରଶାସନ ଆସି ଘର କାନ୍ଥରେ ସମ୍ପୂର୍ଣ୍ଣ ପକ୍କାଘର ଫଳକ ମାରି ଚାଲିଯାଇଥିଲେ। ପରେ ଘର ମରାମତି ପାଇଁ ୩ ହଜାର ଟଙ୍କା ଆସିଛି ବୋଲି ସୂଚନା ଦେଇଥିଲେ। ଯଦି ସେମାନଙ୍କ ନାମ ଆବାସ ତାଲିକାରୁ ନାମ କଟିଯାଇଥିଲା ତେବେ ଘର ମରାମତି ବାବଦରେ ଟଙ୍କା କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସବିତାଙ୍କ ପୁଅ ସନ୍ତୋଷ। ତେଣୁ ସନ୍ଦେହ କରି ସନ୍ତୋଷ ରୁରାଲ ହାଉସିଂ ୱେବସାଇଟରେ ଯାଞ୍ଚ କରି ଦେଖିବା ବେଳେ ତାଙ୍କ ଘର ସଂପୂର୍ଣ୍ଣ ହୋଇଛି ବୋଲି ଏକ ଫଟୋ ପାଇଥିଲେ। ତେଣୁ ସୂଚନା ଅଧିକାର ଆଇନ ବଳରେ ସନ୍ତୋଷ ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ଅନେକ ଥର ଫର୍ମ ନ ରଖି ଫେରାଇ ଦିଆଯାଇଥିଲା। ସବିତା ଗତ ୨୦୨୨ ମାର୍ଚ୍ଚ ୨ରେ ଏଭଳି ସମସ୍ୟା ପାଇଁ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ବିଡିଓ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ବେଳେ ସୂଚନା ଅଧିକାର ଆଇନରେ ସନ୍ତୋଷ ମାଗିଥିବା ତଥ୍ୟ ମଧ୍ୟ ମିଳନଥିଲା। ତେଣୁ ସନ୍ତୋଷ ପୁଣି ଜୁନ ୨୦୨୨ ଜୁନ ୨୮ରେ ବିଡିଓଙ୍କ ନିକଟରେ ପ୍ରଥମ ଅପିଲ୍‌ କରିଥିଲେ। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଜୁଲାଇ ୧୯ରେ ପତ୍ର ସଂଖ୍ୟା ୨୯୦୭ରେ ସନ୍ତୋଷକୁ ୭ ଦିନ ମଧ୍ୟରେ ସୂଚନା ଦେବା ପାଇଁ କହିଥିଲେ। ତଥାପି ଆଜିଯାଏଁ କୌଣସି ସୂଚନା ଦେଇନାହାନ୍ତି। ୨୦୨୩ ମଇ ୧୮ରେ ବ୍ଲକ୍‌ ସୂଚନା ଅଧିକାରୀ ପତ୍ର ସଂଖ୍ୟା ୧୮୯୪ ପ୍ରକାରେ ବିପିସି ରୁରାଲ ହାଉସିଂ ଅଧିକାରୀ ଶ୍ୟାମସୁନ୍ଦର ବେହେରା, ଲିଲିଗଡ ପଞ୍ଚାୟତ ପିଇଓ ପ୍ରକାଶ ଚନ୍ଦ୍ର ବେହେରା ଏବଂ ପିଣ୍ଡିକି ପଞ୍ଚାୟତ ପିଇଓ ଏସ୍‌ ଲକ୍ଷ୍ମଣଙ୍କୁ ସବିତା ମଳିକଙ୍କ ସମସ୍ତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେବାସହ ପତ୍ର ସଂଖ୍ୟା ୧୮୯୫ ପ୍ରକାରେ ସନ୍ତୋଷଙ୍କୁ ଜଣାଇଥିଲେ। ତେବେ ଏକ ମାସ ପରେ ପଞ୍ଚାୟତ ଅଧିକାରୀ ଏସ୍‌. ଲକ୍ଷ୍ମଣ ସୂଚନା ଅଧିକାର କର୍ମୀ ସନ୍ତୋଷକୁ ତଥ୍ୟ ଦେବା ବଦଳରେ ଗତ ଜୁନ ୨୭ରେ ବିଡ଼ିଓଙ୍କୁ ଚିଠି ଲେଖିଛନ୍ତି ଯେ ଆବେଦନ କରିଥିବା ବ୍ୟକ୍ତି ଆବାସ ଗୃହର କାର୍ଯ୍ୟାଦେଶ ଆବେଦନ ଫର୍ମ ସଂଲଗ୍ନ କରି ଦେଇନଥିବାରୁ ତଥ୍ୟ ଯୋଗାଇବା ଅସମ୍ଭବ। ତେଣୁ ଏହି ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ। ଏଭଳି ଲେଖାର ଏକକିତା କପି ସନ୍ତୋଷକୁ ପଠାଇ ଚୁପ୍‌ ବସିଛନ୍ତି। ମୋହନା ବ୍ଲକ୍‌ରେ ଏଭଳି ଆବାସ ଦୁର୍ନୀତି ପାଇଁ ବରିଷ୍ଠ ଓକିଲ ଦୁର୍ଯ୍ୟୋଧନ କରଡା, ସାମାଜିକ କର୍ମୀ ଜିତେନ୍ଦ୍ର ବେହେରା ଓ ସୂଚନା ଅଧିକାର କର୍ମୀ ସନ୍ତୋଷ ମଳିକ ନିନ୍ଦା କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୋହନା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ ଉଠାଇନଥିଲେ।