ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ସେହି ଯୋଜନା ଯେମିତି ପହଞ୍ଚି ପାରିନାହିଁ। ଏଥିପାଇଁ ଆର୍ଥିକ ଅନଟନ ମଧ୍ୟରେ ରହୁଥିବା ପରିବାର ଏବେ ବି ଭଙ୍ଗା ଦଦରା ଝାଟିମାଟି ଚାଳ ଛପର ତଳେ ଦିନ କାଟୁଛନ୍ତି। ଆବାସ ଯୋଜନାରେ ଘର ପାଇଁ ହିତାଧିକାରୀମାନେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଘର ମିଳୁ ନାହିଁ ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଧର୍ମଶାଳ ବ୍ଳକ ବୃନ୍ଦାଦେଇପୁର ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମର ରୁହନ୍ତି ଚେମା ମଳିକ( ୪୫)ଙ୍କ ପରିବାର। ସେ ଗରିବ ଦଳିତ ପରିବାର ସଦସ୍ୟ ହୋଇଥିଲେ ମଧ୍ୟ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି। ଘରଟିଏ ପାଇଁ ସେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଚେମା ଜଣେ ଦିନ ମଜୁରିଆ। ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ ପୁଅ। ସେମାନେ ଏକ ବଖରା ଝାଟିମାଟି ଚାଳ ଘରେ ରହୁଛନ୍ତି। ସେହି ଘରେ ରୋଷେଇ କରିବା ସହିତ ପାର୍ଶ୍ୱରେ ଗୃହପାଳିତ ପ୍ରାଣୀ ବି ଆଶ୍ରୟ ନେଇଛନ୍ତି। ବର୍ଷା ଦିନେ ଘର ଭିତରେ ପାଣି ଝରୁଛି। ଏପରି ପରିସ୍ଥିତିରେ ଖାଇବା, ଶୋଇବା ଓ ରୋଷେଇ କରିବା ବହୁ କଷ୍ଟକର ହୋଇଛି। ଯଦି କେବେ ଲଗାଣ କି ମୂଷଳ ଧାରରେ ବର୍ଷା ହୁଏ ଚେମାଙ୍କ ପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି। ଏଭଳି ସ୍ଥିତିରେ ପକ୍କା ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସେ ବହୁ ଥର ଦୌଡିଛନ୍ତି। ଏକାଧିକଥର ଦାୟିତ୍ୱରେ ଥିବା ବାବୁମାନଙ୍କ ପାଖରେ ଆବେଦନ କରିଛନ୍ତି। ନେହୁରା ବି ହୋଇଛନ୍ତି। ହେଲେ ସେହି ବାବୁମାନେ ତଦନ୍ତ ପାଇଁ ଆସୁଛନ୍ତି କିନ୍ତୁ ଘର ମିଳୁ ନାହିଁ। ଏପରି ପରିସ୍ଥିତିରେ ଘର ପାଇଁ ସ୍ବପ୍ନ ଦେଖିବା ଛଡା ଆମ ପାଖରେ ଆଉ କିଛି ଉପାୟ ନାହିଁ ବୋଲି କୋହଭାର କଣ୍ଠରେ ଚେମା ପ୍ରକାଶ କରିଛନ୍ତି।
ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ସେକ୍‌ ମନିରୁଉଦ୍ଦିନ (୫୮)। ସେ ବି ଜଣେ ଦିନ ମଜୁରିଆ। ଦୁଃଖକଷ୍ଟରେ ତାଙ୍କ ପରିବାର ଲୋକେ ଦିନ କାଟନ୍ତି। ଦିନେ କାମକୁ ନ ଗଲେ ଘରେ ଚୂଲି ଜଳେ ନାହିଁ। ଘର ଖଣ୍ଡେ କରିବାକୁ ସେ ବହୁ ଦିନରୁ ସ୍ବପ୍ନ ଦେଖିଥିଲେ। ହେଲେ ଯାହା ରୋଜଗାର ହୁଏ ସେଥିରେ ପରିବାର ଲୋକଙ୍କ ପେଟ ଠିକ୍‌ ଭାବେ ପୁରେ ନାହିଁ। ଘର କରିବା ତ ତାଙ୍କ ପକ୍ଷେ ସମ୍ଭବ ନୁହେଁ। ସେଥିପାଇଁ ସେ ଆବାସ ଯୋଜନାରେ ଘର କରିବା ପାଇଁ ଆଶା ବାନ୍ଧି ଥିଲେ। ପ୍ରତିଥର ସେ ଆବେଦନ କରି ଚାଲିଛନ୍ତି। ପଞ୍ଚାୟତକୁ କେତେଥର ସେ ଦୌଡ଼ିଛନ୍ତି ତା’ର ହିସାବ ନାହିଁ। ହେଲେ ଦାୟିତ୍ୱରେ ଥିବା ବାବୁମାନେ ତାଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ହେଲେ କୌଣସି ସୁବିଧା ତାଙ୍କୁ ମିଳିନାହିଁ। ଏଥିରେ ଜିଲାପାଳ ହସ୍ତକ୍ଷେପ କରନ୍ତୁ, ଚେମା, ସେକ୍‌ ମନିରୁଉଦ୍ଦିନଙ୍କ ପରି ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।