ଗରମ ପିଚୁରେ ପଡ଼ି କଣ୍ଟେନର ଡ୍ରାଇଭର ମୃତ

ଦୁର୍ଗୀ,୨୩ା୫(ଡି.ଏନ.ଏ.): ରାୟଗଡା ଜିଲା ଦୁର୍ଗୀ ପଞ୍ଚାୟତ ବନ୍ଧୁଗୁଡା ନିକଟସ୍ଥ ୪୬ନମ୍ବର ରାଜ୍ୟ ରାଜପଥ ରାସ୍ତାକାମ ଚାଲିଥିବା ବେଳେ ଗରମ ପିଚୁ ଢାଳିବା ବେଳେ ଅସାବଧାନତାରୁ ପିଚୁ କଣ୍ଟେନର ଡ୍ରାଇଭର ପଡିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶାଖାପାଟଣା ନାକାପାଲି ପଞ୍ଚାୟତ ବେମାପାଡୁ ଗ୍ରାମର ଆଇନାମାପୁଡ଼ି କ୍ରିଷ୍ଣାମା ରାଜୁ।

ପ୍ରତିଦିନ କ୍ରିଷ୍ଣାମା ବିଶାଖାପାଟଣାରୁ ରାସ୍ତାକାମ ପାଇଁ ଗରମ ପିଚୁ କଣ୍ଟେନରରେ ଆଣିଥାନ୍ତି। ପିଚୁ ଆଣିବା ବେଳକୁ ରାସ୍ତା କାମ କରୁଥିବା ଲୋକମାନେ ଖାଉଥିଲେ। ସେ ପିଚୁ ଢାଳିବାକୁ ଡାକିଥିଲେ, କିନ୍ତୁ ସେମାନେ ଖାଇସାରିବା ପରେ ଯିବେ ବୋଲି କହିଥିଲେ। କ୍ରିଷ୍ଣାମା କାହାକୁ ଅପେକ୍ଷା ନ କରି ନିଜେ ପିଚୁ ଢାଳୁଥିବା ସମୟରେ ଅସାବଧାନତାରୁ ସେ ଗରମ ପିଚୁରେ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କର୍ମଚାରୀମାନେ ଏହା ଦେଖି ତୁରନ୍ତ ଅଗ୍ନିଶମ ଓ ପୋଲିସକୁ ଖବର କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ବିଷମକଟକ ଡାକ୍ତରଖାନାକୁ ନେଇଥିଲେ।