ଅଢ଼େଇ ବର୍ଷରେ ଦୁର୍ଘଟଣା ନେଇଛି ୫୪୬ ଜୀବନ

ଭୁବନେଶ୍ୱର,୨୧ା୭(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ସହ ସହରର ଅନ୍ୟ ମୁଖ୍ୟ ତଥା ଆଭ୍ୟନ୍ତର ରାସ୍ତା ଏବେ ଅସୁରକ୍ଷିତ ହୋଇପଡିଛି। ରାସ୍ତା ଉପରକୁ ଗୋଡ଼ କାଢ଼ିଲେ ଜୀବନ ପ୍ରତି ପାଦେ ପାଦେ ବିପଦ ମାଡି ଆସୁଛି। ଥରେ ଘରୁ ବାହାରିଲେ ସୁରକ୍ଷିତ ଅବସ୍ଥାରେ ଫେରିବେ କି ନାହିଁ ତାହାକୁ ନେଇ ଲୋକେ ନିଜେ ଓ ପରିବାର ଲୋକେ ଆଶଙ୍କାରେ ରହୁଛନ୍ତି। ସମସ୍ତଙ୍କୁ ଯେପରି ମୃତ୍ୟୁର ଭୟ ଘାରୁଛି। କାରଣ ସହରରେ ଯେପରି ଦିନକୁ ଦିନ ସଡ଼କ ଦୁର୍ଘଟଣା ସହ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି, ତାହାକୁ ଦେଖିଲେ ସହରୀଜୀବନ ଦିନକୁ ଦିନ ବିପଦପୂର୍ଣ୍ଣ ହୋଇପଡୁଥିବା ଅନୁଭବ ହେଉଛି। କେତେବେଳେ ରାସ୍ତା ପାର ବେଳେ କାହା ଉପରେ ଭାରି ଯାନ ମାଡି ଯାଉଛି ତ ପୁଣି କେତେବେଳେ ପଛରୁ ଗାଡି ଧକ୍କା ଦେଇ ପଳାଉଛି। ସେହିପରି ଆଉ କିଏ ଡିଭାଇଡରରେ ପିଟି ହୋଇ ଓ ଖରାପ ରାସ୍ତା ଯୋଗୁ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ବିଶେଷକରି ଦୁଇ ଚକିଆ ଚାଳକ ଓ ପଥଚାରୀମାନେ ବେଶି ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଚିନ୍ତା ବଢ଼ିଛି। ଗତ ୨୦୨୨ରୁ ଏଯାବତ ଅର୍ଥାତ୍‌ ଅଢେଇ ବର୍ଷ ଭିତରେ ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରେ ୫୪୬ ଲୋକଙ୍କ ଜୀବନ ଯାଇଥିବା ବେଳେ ୨ ହଜାରରୁ ଅଧିକ ଗୁରୁତର ଓ ସାମାନ୍ୟ ଆହତ ହୋଇଥିବା କମିଶନରେଟ ପୋଲିସ ତଥ୍ୟରୁ ଜଣାପଡିଛି। ୨୦୨୨ରେ ସଡ଼କ ଦୁର୍ଘଟଣାରେ ୧୯୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୩ରେ ମୋଟ ୨୩୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମଧ୍ୟରୁ ୧୭୬ଜଣ ପୁରୁଷ ଓ ୬୧ଜଣ ମହିଳା ରହିଛନ୍ତି। ତେବେ ୨୦୨୪ ଜାନୁୟାରୀରୁ ଏଯାବତ ସହର ଭିତରେ ଦୁର୍ଘଟଣା ଘଟି ୧୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରୁ ୯୬ଜଣ ପୁରୁଷ ଓ ୧୭ଜଣ ମହିଳା ରହିଥିବା ସୂଚନା ଦିଆଯାଇଛି।
ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟି ସର୍ବାଧିକ ଜୀବନ ଯାଇଛି। ଜାତୀୟ ରାଜପଥର ହଂସପାଳ, ପଳାଶୁଣି, ରସୁଲଗଡ଼, ସତ୍‌ସଙ୍ଗ ବିହାର ଛକ, ଜୟଦେବ ବିହାର କ୍ରାଉନ୍‌ହୋଟେଲ ଓ ବରମୁଣ୍ଡା ପଡ଼ିଆ ସମ୍ମୁଖ, ଖଣ୍ଡଗିରି, ଆଇଗିଣିଆ, ତମାଣ୍ଡୋ ଛକ ଏକପ୍ରକାର ମୃତ୍ୟୁଯନ୍ତା ପାଲଟିଛି। କଟକ-ପୁରୀ ବାଇପାସ୍‌ ରୋଡ୍‌ରେ ମଧ୍ୟ ଦୁର୍ଘଟଣା ବଢ଼ୁଛି। ବିଶେଷକରି ଜାତୀୟ ରାଜପଥରେ କାମ ଚାଲୁଥିବାବେଳେ କନଷ୍ଟ୍ରକ୍ସନ ସଂସ୍ଥା କର୍ମଚାରୀଙ୍କ ହାତରେ ଟ୍ରାଫିକ ଦାୟିତ୍ୱ, ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚାଳନା, ତରବରିଆ ଭାବେ ରାସ୍ତା ପାର ହେବା ଆଦି ଦୁର୍ଘଟଣାର ପ୍ରମୁଖ କାରଣ। ସେହିପରି ସହର ଭିତରେ ଦୁର୍ଘଟଣାର ମୁଖ୍ୟ କାରଣ ମଧ୍ୟରେ ରାସ୍ତାରେ ଖାଲଖମା, ଅଣଓସାରିଆ ରାସ୍ତା କଡରେ ଗାଡି ପାର୍କିଂ, ଫ୍ଲାଏ ଓଭର କାମ ଚାଲୁଥିବା ବେଳେ ଭାରିଯାନକୁ ସହର ଭିତରକୁ ପ୍ରବେଶ, ଟ୍ରାଫିକ ପରିଚାଳନାରେ ତ୍ରୁଟି ଆଦି ଅନ୍ୟତମ। ତ୍ରୁଟିପୂର୍ଣ୍ଣ ରାସ୍ତା ଓ ଫ୍ଲାଏ ଓଭର ନିର୍ମାଣ ଯୋଗୁ ମଧ୍ୟ ଦୁର୍ଘଟଣା ଘଟୁଥିବା କୁହାଯାଉଛି। ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର,ବାଣୀବିହାର, ଆଚାର୍ଯ୍ୟ ବିହାର, ସିଆର୍‌ପି, ବରମୁଣ୍ଡା ଆଦି ଛକ ନିକଟରେ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ସେଠାରୁ ସଂଯୋଗ କରୁଥିବା ରାସ୍ତାରୁ ଜାତୀୟ ରାଜପଥକୁ ବାହାରିଲେ ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ଏଥିପାଇଁ ପୋଲିସ, ପରିବହନ ବିଭାଗ ଓ ପ୍ରଶାସନର ଢିଲା ପଦକ୍ଷେପକୁ ମଧ୍ୟ ପରୋକ୍ଷରେ ଦାୟୀ କରାଯାଉଛି। ଦୁର୍ଘଟଣା ଏଡାଇବାକୁ ସ୍ଥାୟୀ ପଦକ୍ଷେପ ବଦଳରେ ଘଟଣା ଘଟିବା ପରେ ତତ୍ପରତା ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଅଜଣା ଗାଡି ଧକ୍କାରେ ବହୁ ଲୋକଙ୍କ ପ୍ରାଣ ଚାଲିଯାଉଥିବାବେଳେ ସେସବୁ ଗାଡିକୁ ଚିହ୍ନଟ କରିବାରେ ପୋଲିସ ଓ ପରିବହନ ବିଭାଗର ବିଫଳତା ସବୁବେଳେ ସାମ୍ନାକୁ ଆସୁଛି।

ସହରର ଲୋକ ସଂଖ୍ୟା ସହ ଗାଡିମୋଟର ବଢ଼ିଛି। ହେଲେ ଆଗ ଅପେକ୍ଷା ଦୁର୍ଘଟଣା ହ୍ରାସ ପାଇଛି। ଦୁର୍ଘଟଣା ଏଡାଇବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଛି। ଦୁର୍ଘଟଣାସ୍ଥଳ ଚିହ୍ନଟ କରାଯାଇ ସେଠାରେ ସାଇନ ବୋର୍ଡ ମରାଯାଇ ସତର୍କ କରାଯାଉଛି। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ଚଢାଉ ମଧ୍ୟ ଜୋରଦାର କରାଯିବା ସହ ଜାତୀୟ ରାଜପଥରେ ଚେକିଂ କଡାକଡି ହେବ। ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଲୋକଙ୍କୁ ମଧ୍ୟ ସଚେତନା ହେବାକୁ ପଡିବ। ନିଜ ଜୀବନ ଓ ଅନ୍ୟର ଜୀବନରେ ବିପଦ ନ ଆଣିବା ପାଇଁ ପ୍ରଥମେ ନିଜକୁ ସୁରକ୍ଷିତ ଅବଲମ୍ବନ କରିବାକୁ ପଡିବ। ସେହିପରି ଖରାପ ରାସ୍ତା ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଛି।
-ପ୍ରତୀକ ସିଂ, ଭୁବନେଶ୍ୱର ଡିସିପି

ବର୍ତ୍ତମାନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି। ଦୁର୍ଘଟଣା ରୋକିବା ଲାଗି ପୋଲିସ ଓ ପରିବହନ ବିଭାଗ ପ୍ରତିଦିନ ଧରପଗଡ ଜୋର୍‌ଦାର କରିବା ଦରକାର। ଫଳରେ ରାସ୍ତାକୁ ଗାଡି ଧରି ବାହାରୁଥିବା ଲୋକଙ୍କ ମନରେ ଭୟ ରହିବ। ସେହିପରି ଲୋକଙ୍କୁ ବ୍ୟାପକ ସଚେତନ କରାଯାଉ। ଲୋକେ ମଧ୍ୟ ନିଜେ ସଚେତନ ହୋଇ ଗାଡି ଚଳାଇବା ଦରକାର। ନିଜ ଜୀବନ ଓ ଅନ୍ୟ ଜୀବନ ପ୍ରତି ବିପଦ ଏଡାଇବାକୁ ଟ୍ରାଫିକ ନିୟମ ମାନିବାକୁ ପଡିବ। ଜାତୀୟ ରାଜପଥରେ ମଧ୍ୟ ଡିସ୍‌ପ୍ଲେ ଲଗାଇ ଦିନକୁ କେତେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ପ୍ରଦର୍ଶନ କଲେ ଲୋକେ ଏହାକୁ ଦେଖି ସଚେତନା ହୋଇ ଟ୍ରାଫିକ ନିୟମକୁ ମାନିବେ। ସେହିପରି ଜାତୀୟ ରାଜପଥରେ ଦୁର୍ଘଟଣାପୂର୍ଣ୍ଣ ସ୍ଥାନ ଓ ବ୍ଲାକ ସ୍ପଟ୍‌ ଚିହ୍ନଟ କରି ସେଠାରେ ପ୍ରଶାସନ ପକ୍ଷରୁ ବୋର୍ଡ ମରାଯିବା ସହ ଇଣ୍ଟର ସେପ୍ଟର ଭେଇକିଲ ଅଧିକ ମୁତୟନ କରାଯାଇ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଦୁର୍ଘଟଣା ମୃତ୍ୟୁ ହ୍ରାସ ହୋଇପାରିବ।
-ଡ.ବିକାଶ ମହାପାତ୍ର, ସଡକ ସୁରକ୍ଷା ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri