ଖାଲଖମାରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମପୁର ଅଫିସ, ୪।୧୧: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ସହରର ଅନେକ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ରାସ୍ତା ମରାମତି କ୍ଷେତ୍ରରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଲୋକମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି। ଏ ନେଇ ସାଧାରଣ ଜନତାଙ୍କ ପକ୍ଷରୁ ଉନ୍ନତମାନର ରାସ୍ତା କାର୍ଯ୍ୟ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସହର ମଧ୍ୟରେ ପୂର୍ତ୍ତ ବିଭାଗ ଅଧୀନସ୍ଥ ଅନେକ ରାସ୍ତା ମରାମତିରେ ନିମ୍ନ ମାନର କାର୍ଯ୍ୟ କାରଣରୁ କମ ସମୟ ମଧ୍ୟରେ ରାସ୍ତା ଖରାପ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସହରର ବିଜିପୁରଠାରୁ ଗୋଷାଇଁ ନୂଆଗାଁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଗତ କିଛି ଦିନ ତଳେ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଗୋଷାଇଁ ନୂଆଗାଁ ସ୍ଥିତ କେସି ହାଇସ୍କୁଲ ସମ୍ମୁଖ ରାସ୍ତାରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ହଳଦିଆପଦର ଓଭରବ୍ରିଜ ଓ ଜାତୀୟ ରାଜପଥକୁ ଯିବା ନିମନ୍ତେ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ହେଲେ ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଶତାଧିକ ଭାରୀଯାନ ମଧ୍ୟ ଯାତାୟାତ କରିଥାଏ। କିନ୍ତୁ ରାସ୍ତା ମଝିରେ ବିରାଟ ଗର୍ତ୍ତ କାରଣରୁ ଅନେକ ସମୟରେ ବହୁ ଦୁର୍ଘଟଣା ଘଟୁଛି। ନିକଟରେ ଏକ ଶିକ୍ଷାନୁଷ୍ଠାନ ଥିବାରୁ ସ୍କୁଲ କର୍ତ୍ତୁପକ୍ଷ ଓ ଅଭିଭାବକଙ୍କ କ୍ଷେତ୍ରରେ ଚିନ୍ତାର କାରଣ ପାଲଟିଛି। ସୂଚନାଥାଉ କି, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ବାରମ୍ବାର ଦାବି ପରେ ପୂର୍ତ୍ତ ବିଭାଗ-୨ ପକ୍ଷରୁ ରାସ୍ତାର ମରାମତି କରାଯାଇଥିଲା। କିନ୍ତୁ ମରାମତିର କିଛି ଦିନ ନ ପୂରୁଣୁ ପୁଣି ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ପୂର୍ତ୍ତ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଆଙ୍କୁଲି ଓଭରବ୍ରିଜ ପାର୍ଶ୍ୱ ରାସ୍ତା ଉପରୁ ପିଚୁ ଉଠିଯାଇଛି। ଏ ନେଇ ସ୍ଥାନୀୟବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତି ମିଳୁଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ-୨ ଅଧିକ୍ଷଣ ଯନ୍ତ୍ରୀ ଇଂ.ତପନ କୁମାର ପାଣିଗ୍ରାହୀଙ୍କୁ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ, ଜନ ସ୍ବାସ୍ଥ୍ୟ ବିଭାଗର ପାଇପ ଲାଇନ କାରଣରୁ ପାଣି ଜମି ରହି ଗର୍ତ୍ତ ସୃଷ୍ଟି ହେଉଥିବା ସେ କହିଛନ୍ତି। ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଜଗଦିଶ ପାତ୍ରଙ୍କୁ ପଚାରିବାରୁ ଏଠାରେ ଥିବା ପାଇପ ଲାଇନର ମରାମତି କରାଯିବ। ଆଗାମୀ ଦିନରେ ଏଠାରେ ରହିଥିବା ପାଇପ ଲାଇନ ସଂଯୋଗୀକରଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଯାହାଦ୍ୱାରା ରାସ୍ତା ଖରାପ ହେବା ସମସ୍ୟା ଉପୁଜିବ ନାହିଁ ବୋଲି ସେ କହିଛନ୍ତି।