ନୟାଗଡ଼ ଜିଲାରେ ଦୁର୍ଘଟଣାଜନିତ ମୃତାହତ ଶୂନ

ନୟାଗଡ଼ ଅଫିସ,୯।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିବା ପରେ ସରକାର ଓଡ଼ିଶା ଦିବସରୁ ୭ ଦିନ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରିଥିଲେ । ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ଅବସରରେ ହେଲମେଟ, ମଦ୍ୟପାନକରି ଗାଡ଼ି ଚାଳନା, ସିଟ୍‌ବେଲ୍ଟ ଧରପଗଡ଼, ଓଭର ସ୍ପିଡ, ଓଭରଲୋଡ, ନାବାଳକ ଗାଡ଼ି ଚାଳନା, ଗାଡ଼ି ଚାଳନାବେଳେ ମୋବାଇଲରେ କଥାବାର୍ତ୍ତା ଧରପଗଡ଼ ଚାଲିବା ପରେ ସାଧାରଣରେ ଭୟ ସଞ୍ଚାର ହୋଇଥିଲା । ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ ପରେ ନୟାଗଡ଼ ଜିଲାରେ ଏହାର ସଫଳତା ମିଳିଛି । ୭ଦିନ ଭିତରେ ସଡ଼କ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ତେବେ ୭ଦିନ ଭିତରେ ୧୧ ଲକ୍ଷ ୫୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ସପ୍ତାହ ଶେଷ ପରେ ସାଧାରଣରେ ଆଶ୍ୱସ୍ତି ଦେଖିବାକୁ ମିଳିଛି । ଶନିବାର ସଡ଼କରେ ପୂର୍ବ ଅବସ୍ଥା ଫେରି ଆସିଛି ।
ଅନ୍ୟପକ୍ଷେ ଓଭର ସ୍ପିଡରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେବଳ ୧୫୧ଟି ଚାଲାଣ କଟା ଯାଇଛି । ହେଲମେଟ ନ ପିନ୍ଧି ବାଇକ ଚାଳନାରେ ମୋଟରେ ୧୧୨୯ ଚାଲାଣ କଟା ଯାଇଛି । ସିଟ୍‌ ବେଲ୍ଟ ନ ପିନ୍ଧି ଗାଡି ଚାଳନାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧୧୨ଟି ଚାଲାଣ କାଟିଛି । ମୋବାଇଲ ଫୋନ ବ୍ୟବହାର କରି ଗାଡ଼ି ଚାଳନା କରୁଥିବାବେଳେ ୬୩ ଚାଲାଣ କଟା ଯାଇଛି ା ମଦ୍ୟପାନକରି ଗାଡ଼ି ଚାଳନା କରୁଥିବାବେଳେ ପୋଲିସ ୩ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୩ଟି ଏପରି ମୋଟ୍‌ରେ ୧୬ ଚାଲାଣ କଟା ଯାଇଛି । ଗାଡ଼ିରେ ଅଧିକ ଯାତ୍ରୀ ନେବାରେ ପୋଲିସ ୧ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୪ଟି ଏପରି ମୋଟରେ ୫ ଚାଲାଣ କଟାଯାଇଛି । ଓଭର ଲୋଡରେ କେବଳ ଆଞ୍ଚଳିକ ପରିବହନ କାର୍ଯ୍ୟାୟ ୩ଟି ଚାଲାଣ କାଟିଛି । ସେହିପରି ବାଇକ୍‌ରେ ୩ଜଣ ବସି ଗାଡ଼ି ଚାଳନା କରି ଯାଉଥିବାବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨୨ ଓ ପୋଲିସ ପକ୍ଷରୁ ୧୨୨ ଏପରି ମୋଟରେ ୧୪୪ ଚାଲାଣ କଟା ହୋଇଛି । ଭୁଲ ରାସ୍ତାରେ ଗାଡ଼ି ଚାଳନା କରି ପୋଲିସ ୧୭ଜଣଙ୍କ ଚାଲାଣ କାଟିଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ଭାବେ ପାର୍କିଂ କରି ପୋଲିସ ୨୪ ଜଣଙ୍କ ଚାଲାଣ କାଟି ପାରିଛି । ୨୪ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି । ୪ ନାବାଳକଙ୍କୁ ଧରାଯାଇ ୨୫ ହଜାର ଲେଖାଏଁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ପୋଲିସ ମୋଟ୍‌ରେ ୭୩୮ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୯୯୯ ଏପରି ମୋଟରେ ୧୭୩୭ ଚାଲାଣ କଟା ଯାଇଛି । ଅପରପକ୍ଷେ ୯ ବ୍ଲାକ ସ୍ପଷ୍ଟ ପ୍ରଚାର ପରେ ଭୟ ଦେଖା ଦେଇଛି । ସମ୍ପୃକ୍ତ ଅଞ୍ଚଳ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା, ଟାକେରା, ଏସ.ଆର. ପେଟ୍ରୋଲ ପମ୍ପ ଓ ସୁବଳୟା, ନୂଆଗଁା ଥାନାର ଲୁଣିସରା ଓ ସମ୍ପଡା, ନୟାଗଡ଼ ସଦର ଥାନାର ଶିମଳିସାହି, ଇଟାମାଟି ଥାନାର ଇଟାମାଟି ସିନେମାହଲ ଛକଠାରୁ ଖୁସି ଢ଼ାବା ପର୍ଯ୍ୟନ୍ତ ଓ ପଣ୍ଡୁସରଠାରୁ ହରେକୃଷ୍ଣପୁର ପର୍ଯ୍ୟନ୍ତରେ ଚାଳକମାନେ ଗାଡ଼ି ଧିରେ ଚଳାଉଥିବା ପରିଲକ୍ଷିତ ହେଉଛି । ଏନେଇ ଆରଟିଓ ପ୍ରଶାନ୍ତ ପରିଡ଼ା କୁହନ୍ତି ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହରେ ଗଣମାଧ୍ୟମର ସହଯୋଗରୁ ଦୁର୍ଘଟଣାରେ ମୃତକ ସଂଖ୍ୟା ଶୂନ୍ୟ ହୋଇଗଲା । ପୋଲିସ ଓ ଆରଟିଓ ପକ୍ଷରୁ ଧରପଗଡ଼ ପରେ ସଡ଼କ ଯାତ୍ରାରେ ଶୃଙ୍ଖଳା ଆସିଛି ।