ଟି-ବ୍ରିଜ୍‌ରେ ଦଳାଚକଟା

ବଡ଼ମ୍ବା (ଡି.ଏନ୍‌.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍‌,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍‌ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିରକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଉପରେ ଅସମ୍ଭାଳ ଭିଡ଼ ହେବାରୁ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଜୟନ୍ତୀ ସ୍ବାଇଁ। ତାଙ୍କ ଘର ବାଙ୍କୀ ଡମପଡ଼ା ଅଞ୍ଚଳରେ। ଆହତମାନଙ୍କୁ ପ୍ରଥମେ ବଡ଼ମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ୩ଜଣଙ୍କୁ କଟକ ବଡ଼ମେଡିକାଲ ଏବଂ ୨ଜଣଙ୍କୁ ଆଠଗଡ଼ ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଘର ବଡ଼ମ୍ବା, ନରସିଂହପୁର, ତିଗିରିଆ, ବାଙ୍କୀ ଓ ଆଠଗଡ଼ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଛୋଟ ପିଲା ରହିଛନ୍ତି। ଦଳାଚକଟା ପରିସ୍ଥିତି ପାଇଁ ଶ୍ରଦ୍ଧାଳୁ ଏବଂ ଆହତଙ୍କ ସମ୍ପର୍କୀୟମାନେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ସିଂହନାଥଙ୍କୁ ଦର୍ଶନ କରିବା ପାଇଁ ଦେଢ଼ ଲକ୍ଷ ଲୋକଙ୍କ ଆଗମନ ହୋଇଥିବାବେଳେ ବ୍ରିଜ୍‌ ଏବଂ ପୀଠରେ ମାତ୍ର ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲା। ସେଥିରୁ ଅଧିକାଂଶ ପୋଲିସ ମନ୍ଦିର ନିକଟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମଠାରେ ଉପସ୍ଥିତ ଥିବାରୁ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରି ନ ଥିଲା। ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଚଳିତବର୍ଷ ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହେଉଥିଲା। ଏଥିରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହଯୋଗ ରହିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। କିନ୍ତୁ ପୋଲିସ ଓ ପ୍ରଶାସନ ଭିଡ଼କୁ ଦୃଷ୍ଟିରେ ନ ରଖି ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ ଦେଇଥିଲା। ଫଳରେ ଏହି ଦୁଃଖଦ ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି ଯେ ଲୋକଙ୍କ ଭିଡ଼ ଆଶାତୀତ ହେବାରୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହେଲା। ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ଅଧିକାରୀ ଏବଂ ପୋଲିସ ପ୍ଲାଟୁନକୁ ପଠାଯାଇଛି। ଏପରି କି ସେଠାରେ ୧୪୪ ଧାରା ଜାରି କରିବାକୁ ଜିଲାପାଳ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ମହାନଦୀ ମଧ୍ୟରେ ଥିବା ସିଂହନାଥ ଦେବଙ୍କ ପୀଠରେ ମକର ସଂକ୍ରାନ୍ତିରେ ମକର ମେଳା ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟେକ
ବର୍ଷ ବହୁ ଶ୍ରଦ୍ଧାଳୁ ନଦୀ ଭିତରେ ଚାଲି ଚାଲି ଯାଇଥାନ୍ତି। ଏପରି କି କେତେକେ ଡଙ୍ଗା ମାଧ୍ୟମରେ ଯାଇଥାନ୍ତି। ୨୦୨୧ ଡିସେମ୍ବର ୨୦ରେ ବଡ଼ମ୍ବା, ବୈଦେଶ୍ୱର ଏବଂ ନଦୀ ମଝିରେ ଥିବା ସିଂହନାଥ ପୀଠକୁ ସଂଯୋଗ କରିବାକୁ ମହାନଦୀରେ ଏକ ଟି-ସେତୁ ନିର୍ମାଣ ହୋଇଥିଲା। ଗତବର୍ଷ କରୋନା ଯୋଗୁ ଦର୍ଶନ ଉପରେ କଟକଣା ଥିବାରୁ ଚଳିତବର୍ଷ ଜନଗହଳି ହେବ ବୋଲି ଅନୁମାନ କରାଯାଇଥିଲା। ବୈଦେଶ୍ୱର ପଟୁ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ଉଭୟ ବ୍ରିଜ୍‌ ଏବଂ ଫେୟାର ଓ୍ବେଦର(ବାଲିରେ ଚଲା ରାସ୍ତା)ର ବ୍ୟବସ୍ଥା କରାଯାଇଥିଲା। ମକର ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ୩ ଦିନିଆ ମେଳାର ପ୍ରଥମ ଦିନ ଅର୍ଥାତ୍‌ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗହଳି ସ୍ବାଭାବିକ ଥିଲା। ଏହା ପରଠାରୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା। ଅଧିକାଂଶ ଲୋକ ବାଲି ଚଲା ରାସ୍ତାରେ ନ ଆସି ବ୍ରିଜ୍‌ ଉପର ଦେଇ ଆସିଥିଲେ। ଫଳରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଜାମ୍‌ ହୋଇଯାଇଥିଲା। ଅପରାହ୍ନ ପ୍ରାୟ ୪ଟା ବେଳକୁ ପ୍ରାୟ ଦେଢ଼ରୁ ୨ଲକ୍ଷ ଲୋକଙ୍କ ଭିଡ଼ ହେବାରୁ ବ୍ରିଜ୍‌ ଉପରେ ଦଳାଚକଟା ସୃଷ୍ଟି ହୋଇଥିଲା। ଲୋକମାନେ ଆଗପଛ ହୋଇ ନ ପାରିବାରୁ ଠେଲାପେଲା ହୋଇ କେତେକେ ତଳେ ପଡ଼ିଯାଇଥିଲେ। ଏତେ ସଂଖ୍ୟାର ଲୋକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ନ ରହିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆହତମାନଙ୍କୁ ବଡ଼ମ୍ବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜୟନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପ୍ରଶାସନିକ ଏବଂ ପୋଲିସ ସହଯୋଗରେ ଲୋକଙ୍କୁ କିପରି ସହଯୋଗ କରାଯାଇପାରିବ ସେଥିପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି।
ଅପରପକ୍ଷରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ରାତିରେ ଏସ୍‌ସିବି ମେଡିକାଲରେ ଆହତ ଶିଶୁମାନଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲାପାଳ ଗଣମାଧ୍ୟମକୁ କହିଛନ୍ତି, ଆକଳନଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେତୁ ଉପରକୁ ଆସିଯିବାରୁ ଏଭଳି ଅଘଟଣ ଘଟିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ରେଡ୍‌କ୍ରସ ପାଣ୍ଠିରୁ ଆହତଙ୍କୁ ୧୦ ହଜାର ଓ ମୃତକ ପରିବାରକୁ ୨୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲର ଅଧୀକ୍ଷକ ଡା. ସୁଧାଂଶୁ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଏସ୍‌ସିବିରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ହୋଇଛି। ସେହିପରି ଅନ୍ୟ ଜଣେ ଶିଶୁଙ୍କ ସିଟି ସ୍କାନ କରାଯାଇଥିବାବେଳେ ଆଉ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଏସ୍‌ସିବିରେ ଉପଲବ୍ଧ ରହିଛି। ଆବଶ୍ୟକ ଅନୁସାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ସର୍ଜରି, ଅର୍ଥୋପେଡିକ ଓ ନ୍ୟୁରୋସର୍ଜରି ବିଭାଗର ଡାକ୍ତର ଚିକିତ୍ସା ପାଇଁ ପ୍ରସ୍ତୁତ ଅଛନ୍ତି। ଆହୁରି ଅନ୍ୟ ଆହତମାନେ ଏସିବି ଆସୁଥିବା ଖବର ଥିବାରୁ ସେମାନଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷର ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ୱର,୧୪ା୧(ବ୍ୟୁରୋ)-ମକର ମେଳାରେ କଟକ ଜିଲା ବଡ଼ମ୍ବା ସିଂହନାଥ ପୀଠରେ ଶନିବାର ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri