ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଧକ୍କା ଦେଲା ଟ୍ରକ୍‌

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୪ ଚକିଆ ଟ୍ରକ ଧକ୍କାରେ ଜଣେ ୧୯ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କପୁଣ୍ଡି ପଞ୍ଚାୟତ ଚୁଟିଆପଶି ଗ୍ରାମର କପିଳ ଦାସଙ୍କ ପୁଅ ସମିର ।
ସୂଚନା ଅନୁଯାୟୀ, ସମିର ରାସ୍ତା ପାର ହେଉଥିବା ବେଳେ ଢେଙ୍କିକୋଟ ପାର୍ଶ୍ୱରୁ କରଞ୍ଜିଆ ଆଡ଼କୁ ଯାଉଥିବା ଏକ ୧୪ ଚକିଆ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସମିରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ଓ୍ବାଇଁ ସଦଳବଳ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।