ଟାଟା ଷ୍ଟିଲ୍‌ରେ ଦୁର୍ଘଟଣା: ଗଲା କ୍ରେନ୍‌ ଅପରେଟରଙ୍କ ଜୀବନ

କଳିଙ୍ଗନଗର,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କ୍ରେନ୍‌ ଅପରେଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାଡ଼ଖଣ୍ଡ ରାଜ୍ୟର ରୋହିତ କୁମାର ପାଶ୍ୱାନ(୨୪)।
ରୋହିତ କାରଖାନା ପରିସରରେ କ୍ରେନ୍‌ ଲିଫ୍ଟରେ ଉପରକୁ ଯାଉଥିଲେ। ତେବେ କୌଣସିରୁ ତାଙ୍କ ବେକ ଚାପି ହୋଇଯାଇଥିଲୋ। କ୍ରେନ୍‌ଟି ଅଟୋମେଟିକ ସେନ୍‌ସର ସିଷ୍ଟମ ହୋଇଥିବାରୁ ତୁରନ୍ତ ବନ୍ଦ ହୋଇଯାଇଥିଲା। ଫଳରେ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଳିଙ୍ଗନଗର ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୪/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।