ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨ ଜଣ ଆହତ ହୋଇଛନ୍ତି। ଦ୍ରୁତଗତିରେ ଆସୁଥିବା ଏକ ମେକ୍ସ ପିକ୍ଅପ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେବାରୁ ଏକାଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛି।
ସୂଚନା ଅନୁସାରେ, ଚୁଡ଼ଙ୍ଗପୁର ଗାଁ ପଟୁ ଏକ ମେକ୍ସ ପିକ୍ଅପ୍ ଦ୍ରୁତଗତିରେ ଆସୁଥିଲା। ଅନ୍ତରବା ଛକ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ୧୧୨ ପୋଲିସ ଗାଡ଼ି ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ପରେ ଶୁଣ୍ଡିପଦା ଗାଁର ରମେଶ ନାୟକ, ଅନ୍ତରବା ଗାଁର ୫ ବର୍ଷର ଶିଶୁ ଗୋପାଳ ବେହେରା ଏବଂ ଗୁଲୁବା ପଞ୍ଚାୟତ ବମପଦା ଗାଁର ପ୍ରଭାକର ଯାନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଲବ ବେହେରା ଓ ଅବନୀ ସାହୁ ଆହତ ହୋଇଥିବାରୁ ମୋହନା ମେଡିକାଲରେ ସେମାନଙ୍କ ଚିକିତ୍ସା ଚାଲିଛି।
ଘଟଣାସ୍ଥଳରେ ଅଡ଼ବା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଶୋୟୀ କହିଛନ୍ତି।