Categories: ଜାତୀୟ

କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି…

ନୂଆଦିଲ୍ଲୀ,୨୫।୧୦: ସମଲିଙ୍ଗୀ ବିବାହ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତିି ଯେ, କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ହୋଇଥିବା ବିବାହକୁ ସ୍ବୀକୃତି ମିଳିବ। ଏହା ସହିତ ଏଭଳି ବିବାହକୁ ପଞ୍ଜିକରଣ ମଧ୍ୟ କରାଯାଇ ପାରିବ।
ବିଚାରପତି ଡି.ଏନ୍‌. ପଟେଲ ଏବଂ ଜ୍ୟୋତି ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ସମସ୍ତ ପକ୍ଷକାରଙ୍କୁ ନିଜ ନିଜର ଆବେଦନ ପ୍ରସ୍ତୁତି ଶେଷ କରିବା ଲାଗି ସମୟ ପ୍ରଦାନ କରିଛନ୍ତି।

ଆଇନଜୀବୀ ଅଭିଜିତ୍‌ ଆୟର ମିତ୍ରା, ବୈଭବ ଜୈନ୍‌, ଡ. କବିତା ଆରୋରାଙ୍କ ଦ୍ୱାରା ଡିସିଆଇ କାର୍ଡ ଧାରକ ଜୟଦୀପ୍‌ ସେନଗୁପ୍ତା ଏବଂ ତାଙ୍କ ସାଥୀ ରୁସେଲ ବ୍ଲାଇନ୍‌ ଷ୍ଟିଫେନ୍ସ୍‌ଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିଶନ୍‌ର ବିଚାର କରି କୋର୍ଟ ଏଭଳି କହିଛନ୍ତି।

ଆଇନଜୀବୀ କରୁଣା ନୁଣ୍ଡିଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ, ସେନଗୁପ୍ତା ଏବଂ ଷ୍ଟିଫେନ୍ସ ନ୍ୟୁୟର୍କରେ ବିବାହ କରିଥିଲେ। ଏହା ନାଗରିକତ୍ୱ ଆକ୍ଟ ୧୯୫୫, ବୈଦେଶିକ ବିବାହ ଆକ୍ଟ ୧୯୬୯ ଏବଂ ସ୍ବତନ୍ତ୍ର ବିବାହ ଆକ୍ଟ ୧୯୫୪ ଅନ୍ତର୍ଗତ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ନାଗରିକତ୍ୱ ଆକ୍ଟ ୧୯୫୫ର ଧାରା ୭-ଏ(୧)(ଡି) ଅନ୍ତର୍ଗତ ହେଟ୍ରୋ ସେକ୍ସୁଆଲ୍‌, ସେମ୍‌- ସେକ୍ସ୍‌ ଅବା କ୍ୱୁୟର ସ୍ପାଉଜ୍‌ ମଧ୍ୟରେ ଭିନ୍ନତା ଉଲ୍ଲେଖ କରୁ ନ ଥିବା ସେ କହିଥିଲେ। ଏହା ଅନୁସାରେ ଜଣେ ଲୋକ ଭାରତୀୟ ବିଦେଶୀଙ୍କୁ ବିବାହ କରିବା କ୍ଷେତ୍ରରେ ପଞ୍ଜିକରଣ ହୋଇ ପାରିବ। ଓସିଆଇ କାର୍ଡ ବ୍ୟବହାର କରି ଦମ୍ପତି ଭାବେ ଆବେଦନ କରିପାରିବେ।

ତେବେ ଖଣ୍ଠପୀଠଙ୍କ ସମ୍ମୁଖରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଦମ୍ପତି କହିଲେ କେବଳ ସ୍ତ୍ରୀ ଏବଂ ସ୍ବାମୀଙ୍କୁ ହିଁ ବୁଝାଏ। ଉଭୟ ବିପରୀତ ଲିଙ୍ଗୀ। ସେମାନଙ୍କ ମଧ୍ୟରେ ବିବାହ ସ୍ବୀକୃତ। ଏପରିସ୍ଥଳେ ନାଗରିକତ୍ୱ ଆକ୍ଟ ଅନ୍ତର୍ଗତ ଆବେଦନ ଦାଖଲର କୌଣସି ଆବଶ୍ୟକତା ନାହିଁ।

ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ନଭେମ୍ବର ୩୦ ହେବ ବୋଲି ଶୀର୍ଷ କୋର୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share