Categories: ଜାତୀୟ

ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଏ…

ନୂଆଦିଲ୍ଲୀ, ୨୩।୪ : ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏପରିସ୍ଥଳେ କେତେକେ ତ୍ୱରିତ ନ୍ୟାୟ ପାଇଁ ଆଶା ରଖିଥାନ୍ତି। କିନ୍ତୁ ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଇଥାଏ ବୋଲୀ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ୍‌ଭି ରମନା ଶନିବାର କହିଛନ୍ତି। ଚେନ୍ନାଇର ମାଡ୍ରାସ୍‌ ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ରମନା ଏଭଳି ମତପୋଷଣ କରିଛନ୍ତି। ବିଚାରରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ସହିତ ସାମାଜିକ ଦାୟିତ୍ୱବୋଧ ମଧ୍ୟ।

ବିଚାରପତି ସାମାଜିକ ବାସ୍ତବିକତା ସମ୍ପର୍କରେ ଭଲଭାବେ ଅବଗତ ହେବା ଆବଶ୍ୟକ। ଏହା ସହିତ ସେମାନେ ସାମାଜିକ ପରିବର୍ତ୍ତନକୁ ପୁଙ୍ଖାନୁପୁଙ୍ଖଭାବେ ଅନୁଧ୍ୟାନ କରି ଆବଶ୍ୟକତା ଅନୁରୂପ ନ୍ୟାୟ ପ୍ରଦାନ କରିବା ଅପରିହାର୍ଯ୍ୟ। ବ୍ୟସ୍ତ ବହୁଳ ଜୀବନରେ ଇନଷ୍ଟାଣ୍ଟ୍‌ କଫି ଅବା ନୁଡୁଲ୍ସ ଭଳି ଲୋକେ ଶୀଘ୍ର ନ୍ୟାୟ ଲାଗି ଆଶାବାଦୀ ହେଉଛନ୍ତି। ମାତ୍ର ଏହା ପ୍ରକୃତ ନ୍ୟାୟ ପ୍ରଦାନ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କୌଣସି ରାୟ ପ୍ରଦାନ କରିବା ପୂର୍ବରୁ ବିଚାରପତିଙ୍କୁ କେତେକ ମାନଦଣ୍ଡକୁ ବିଚାର ପରିସରଭୁକ୍ତ କରିବାକୁ ପଡ଼ିଥାଏ।

ସେଥିମଧ୍ୟରେ ସାମାଜିକ ଆର୍ଥିକ କ୍ଷେତ୍ରକୁ ମଧ୍ୟ ବିଚାର ସମୟରେ ଅନ୍ତର୍ଭୁକ୍ତ କରାଯାଇଥାଏ। ବିଚାରପତିଙ୍କ ମାନସିକତା ଏବଂ ସମାଜର ଆବଶ୍ୟକତା ମଧ୍ୟରେ ଅନ୍ତର ରହିବା ଅନୁଚିତ ବୋଲି ସେ କହିଛନ୍ତି। ସମସ୍ୟାରେ ପଡ଼ିଥିବା ଲୋକେ ଦେଶର ନ୍ୟାୟିକ ବ୍ୟବସ୍ଥାର ଦ୍ୱାରସ୍ଥ ହେବା ସହିତ ନିଜର ଅଧିକାରକୁ ସୁରକ୍ଷିତ ରଖିବା ପ୍ରୟାସ କରିଥାନ୍ତି। ଏପରିସ୍ଥଳେ ସେମାନଙ୍କ ଆସ୍ଥା ଏବଂ ବିଶ୍ୱାସକୁ ବଜାୟ ରଖିବା ଜରୁରୀ।

ବିଚାରପତିଙ୍କ ଅଭାବ ନ୍ୟାୟିକ ବ୍ୟବସ୍ଥା ପ୍ରତି ଏକ ଆହ୍ବାନ। ଦେଶରେ ୧.୧୦୪ ସ୍ବୀକୃତି ପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ଥିବାବେଳେ ସେଥିମଧ୍ୟରୁ ୩୮୮ ଖାଲି ପଡ଼ିଛି। ଏହାଦ୍ୱାରା ଦେଶରେ ବହୁ ମାମଲାର ବିଚାର ସମ୍ଭବ ହୋଇ ପାରୁ ନାହିଁ ବୋଲି ସେ ମିପୋଷଣ କରିଛନ୍ତି।

Share