ଗଣତାନ୍ତ୍ରିକ ଶକ୍ତିର ଅପପ୍ରୟୋଗ

ହରେକୃଷ୍ଣ ପଣ୍ଡା

 

ଦେଶର ନିର୍ବାଚନୀ ଫଳାଫଳ କାହାକୁ ଖୁସି କରିଛି ତ କାହାରିକୁ ଦୁଃଖୀ କରିଛି। ଆମକୁ ଜାଣିବାକୁ ହେବ ଏହା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ନିର୍ଦ୍ଦେଶ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଉଦ୍ଦିଷ୍ଟ। ଏହା ସମସ୍ତଙ୍କୁ ସ୍ବୀକାର କରିବାକୁ ହେବ। ଯେକୌଣସି ପରିଣାମ ସମସ୍ତଙ୍କୁ କିଛି ଚିନ୍ତା କରିବାର ଏକ ଅବସର ସୃଷ୍ଟି କରିଥାଏ। ଏଣୁ ଏ ବିଷୟରେ ଆମେ ବି କିଛି ଭାବିବା। ପୂର୍ବରୁ ଯେଉଁ ଯେଉଁ ଉପାୟରେ ନିର୍ବାଚନ ଜିତା ଯାଇପାରୁଥିଲା, ଏଥର ସେହି ସେହି ଉପାୟ କାମ ଦେଲା ନାହିଁ କାହିଁକି? ଜାତୀୟ ସ୍ତରର ରାଜନେତାମାନଙ୍କ ଆଶା ଆକାଂକ୍ଷା ପୂରଣ ହୋଇପାରିଲା ନାହିଁ କାହିଁକି? ରାଜ୍ୟ ସ୍ତରରେ ଓଡ଼ିଶାର ଏଭଳି ପରିସ୍ଥିତି ଉପୁଜିଲା କିପରି? ଦେଶର ସର୍ବପୁରାତନ ଦଳ ଉପରୁ ଲୋକଙ୍କ ଆସ୍ଥା ତୁଟିଗଲା କିପରି? ଜାତି ଓ ଧର୍ମର ଧ୍ୱଜା ଉଡାଇ ଯେଉଁ କେତେକ ଦଳ ବହୁ ପ୍ରତାପଶାଳୀ ହୋଇ ପାରିଥିଲେ ଏବଂ ଲୋକେ ନିଜକୁ ସେହି ଗଣ୍ଡି ଭିତରେ ହଜାଇ ଦେଇ ପ୍ରତିନିଧି ନିର୍ବାଚନ କରୁଥିଲେ, ନିଜ ମୁଣ୍ଡ ଉପରେ ଥିବା ନେତାଙ୍କ ଭୟ ଯୋଗୁ ସେହି ଗଣ୍ଡି ଭିତରୁ ବାହାରି ପାରୁ ନ ଥିଲେ, ଆଜି ସେହି ବନ୍ଧନ ମଧ୍ୟରୁ ଲୋକେ ନିର୍ଭୟରେ ନିଜକୁ ମୁକ୍ତ କଲେ କିପରି? ପୂର୍ବେ ବାହୁ ବଳ, ଧନ ବଳ ଦ୍ୱାରା ଯେଉଁ ଦଳୀୟ ପ୍ରାର୍ଥୀ ଗଣତାନ୍ତ୍ରିକ ଶକ୍ତିର ଅପପ୍ରୟୋଗ କରି ଆସୁଥିଲେ,ଏବେ ତା’ର ପରିସମାପ୍ତି ଘଟି ନ ଥିଲେ ମଧ୍ୟ, ତାହା ଅଧିକାଂଶ ରାଜ୍ୟରେ କାମ ଦେଲା ନାହିଁ କାହିଁକି?
ପ୍ରକୃତରେ ଦେଶକୁ ଓ ରାଷ୍ଟ୍ରବାଦକୁ ବିଚାର କରିବାର ଶକ୍ତି ଯେତେବେଳେ ଲୋକଙ୍କ ମଧ୍ୟରେ ଆସିଲା, ସେତେବେଳେ ଲୋକେ ନିଜର ଗଣତାନ୍ତ୍ରିକ ଶକ୍ତିକୁ ପ୍ରୟୋଗ କଲେ। ସ୍ବାଧୀନତା ପରେ ଦେଶରେ ଏବେ ଏକ ନୂତନ ଜାତୀୟତାର ବାତାବରଣ ଦେଖାଦେଇଛି। ଏହା ନୂତନ ସରକାର ଗଠନ ଯୋଗୁ ନୁହେଁ, ବରଂ ଜନମାନସରେ ଏକ ନୂତନ ବିଚାର ଓ ଆଶାର ସଞ୍ଚାର ହେତୁ। ପ୍ରତ୍ୟେକ ଦଳ ନିଜ ନିଜର ସର୍ବୋଚ୍ଚ ସାମଥର୍‌ୟ ନେଇ ନିର୍ବାଚନ ରଣଭୂମିକୁ ଆସିଥିଲେ। କାହାରି ପାଖରେ ଲୋକ ବଳ ବା ଧନ ବଳର ଅଭାବ ନ ଥିଲା। ତେବେ ବଡ଼ ବଡ଼ ନେତା, ପୂର୍ବତନ ମନ୍ତ୍ରୀ ଏବଂ ଛୋଟ ଛୋଟ ରାଜନୈତିକ ଦଳ ଜନମାନସକୁ ଆକୃଷ୍ଟ କରିପାରିଲେ ନାହିଁ କାହିଁକି? ଓଡ଼ିଶାରେ ଦୀର୍ଘ ୨୫ ବର୍ଷର ଶାସନ ଭୁଶୁଡି ପଡ଼ିଲା କିପରି? ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କଲା ତାହା ଯେ ସର୍ବଗୁଣସମ୍ପନ୍ନ ତାହା ବି ନୁହେଁ। ଅତୀତର ସରକାର ଯେ କିଛି କରିନାହାନ୍ତି ତାହା ବି ନୁହେଁ। ପ୍ରକୃତରେ ଏହା ଥିଲା ଦେଶପ୍ରେମୀ ଜନସାଧାରଣଙ୍କ ଅନ୍ତର୍ନିହିତ ସ୍ବର, ଯାହା ପ୍ରତିଫଳିତ ହୋଇଛି। ସେହି ସ୍ବର ଦେଶର ଧନୀ-ଦରିଦ୍ର, ଶିକ୍ଷିତ-ଅଶିକ୍ଷିତ, ସ୍ତ୍ରୀ-ପୁରୁଷ ସମସ୍ତଙ୍କୁ ଉଦବୁଦ୍ଧ କରିଥିଲା। ସେହି ନୂତନତ୍ୱ ସ୍ବର ଆଗରେ ପୁରାତନ ଦଳ ଗୁଡ଼ିକ ନିଜକୁ ବଦଳାଇ ପାରିଲେ ନାହିଁ। ଆମକୁ ବୁଝିବାକୁ ପଡ଼ିବ କୌଣସି ରାଜନୈତିକ ଦଳ ଏହି ରାଷ୍ଟ୍ର ଶକ୍ତିକୁ ନିର୍ମାଣ କରିନାହିଁ। କୌଣସି ଧର୍ମ ବା ମତବାଦ ମଧ୍ୟ ନୁହେଁ। ଏକ ଅଦୃଶ୍ୟ ଶକ୍ତି ଏହି ରାଷ୍ଟ୍ର ଶକ୍ତିର ନିର୍ମାତା। ଦେଶପ୍ରେମୀମାନେ କୁହନ୍ତି ଏକ ଅଖଣ୍ଡ ଭାରତ ନିର୍ମାଣ କରିବାକୁ। କେନ୍ଦ୍ର ସରକାରଙ୍କୁ କୁହନ୍ତି ଭାରତର ପୁରାତନ ଭୌଗୋଳିକ ସୀମାର ପ୍ରତ୍ୟାବର୍ତ୍ତନ କରିବାକୁ। କିନ୍ତୁ ଆଜିର ସମୟରେ ଶିକ୍ଷିତ ଯୁବ ଗୋଷ୍ଠୀ ଚାହାନ୍ତି ଭାରତବର୍ଷ ଭିତରେ ଥିବା ଖଣ୍ଡ ବିଖଣ୍ଡିତ ମତବାଦ ଓ ଭାବ ଭିତରୁ ଅଖଣ୍ଡ ସ୍ବରୂପର ଅମ୍ଳାନ ପରିଚିତି। ଆଜିର ଭାରତୀୟମାନେ ଚାହାନ୍ତି ବିଶ୍ୱ ଦରବାରରେ ନିଜ ଆସନକୁ ସୁଦୃଢ଼ କରିବାକୁ। ଏହି ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ଆଜିର ସମୟରେ କେତେଜଣ ନିର୍ବାଚିତ ପ୍ରତିନିଧି ନିଜକୁ ଯୋଗ୍ୟ କରିପାରିଛନ୍ତି? ୧୯୬୯ ଏପ୍ରିଲ ୧୭ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜଣେ ସହଯୋଗୀ ମନ୍ତ୍ରୀଙ୍କୁ ପଣ୍ଡିଚେରୀ ଆଶ୍ରମର ଶ୍ରୀମା ଉପଦେଶ ଦେଇ କହିଥିଲେ- ଏହି ପୃଥିବୀରେ କେବଳ ଗୋଟିଏ ଦେଶ ରହିଛି ଯିଏ ଜାଣିଛି ଯେ କେବଳ ଗୋଟିଏ ମହାସତ୍ୟ ବିଦ୍ୟମାନ, ଯାହାର ଅଭିମୁଖେ ସମସ୍ତଙ୍କୁ ମୁହାଁଇବାକୁ ପଡ଼ିବ ଆଉ ସେହି ଦେଶଟି ହେଉଛି ଭାରତବର୍ଷ। ଅନ୍ୟ ସକଳ ରାଷ୍ଟ୍ର ଏହି କଥାଟିକୁ ପାସୋରି ଦେଇଛନ୍ତି। କିନ୍ତୁ ଭାରତବର୍ଷର ସର୍ବସାଧାରଣଙ୍କ ଭିତରେ ଏହି ଧାରଣା ବଦ୍ଧମୂଳ ହୋଇ ରହିଛି ଏବଂ ଦିନେ ନା ଦିନେ ଏହା ବାସ୍ତବ ରୂପରେ ଆମତ୍ପ୍ରକାଶ କରିବ।
ଆଜିର ରାଜନୀତି ଦଳୀୟ ଗଣ୍ଡି ଭିତରେ ରହି ଦେଶର ମହତର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଏଡାଇ ଚାଲିଛି। ଦେଶର ରାଜକୋଷକୁ ନିଜର ରାଜକୋଷ କରିବା ଲାଳସା ଅଧିକାଂଶ ନିର୍ବାଚିତ ପ୍ରତିନିଧିଙ୍କର ରହିଛି। ସେଥିପାଇଁ ନିର୍ବାଚନରେ ଜିତିବା ପାଇଁ ଅଜସ୍ର ଅର୍ଥ ବଳରେ ଭୋଟରମାନଙ୍କୁ ନିଜ ଆଡକୁ ଟାଣୁଛନ୍ତି। ଥରେ ନେତା ବା ମନ୍ତ୍ରୀ ହୋଇଗଲେ ମରିବା ପର୍ଯ୍ୟନ୍ତ ସେହି ଗାଦିଟିକୁ ଛାଡ଼ିବାକୁ ନାରାଜ। ଗଣତାନ୍ତ୍ରିକ ଶକ୍ତିକୁ ଭୁଲିଯାଉଛନ୍ତି। ମୂଲ୍ୟବୋଧ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ ସେମାନେ ଭାବୁ ନାହାନ୍ତି ଗୋଟିଏ ରାଷ୍ଟ୍ରର ମହାନତା କୌଣସି ଗୋଟିଏ ରାଜନୈତିକ ଦଳ ଉପରେ ନିର୍ଭର କରେ ନାହିଁ। ତାହା କିନ୍ତୁ ନିର୍ଭର କରେ ସମ୍ପୃକ୍ତ ସବୁ ଦଳର ଐକ୍ୟବଦ୍ଧତା ଉପରେ। ଯାହା ଦେଖାଯାଉଛି ରାଜନେତାମାନଙ୍କ ମଧ୍ୟରେ ଅଭୂତପୂର୍ବ ପ୍ରତିଦ୍ୱନ୍ଦ୍ୱିତା, କଦର୍ଯ୍ୟ ଲଢ଼େଇ, ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କଳେ ବଳେ କୌଶଳେ କ୍ଷମତାସୀନ ହେବା। ଦେଶର ବୃହତର ସ୍ବାର୍ଥ ପ୍ରତିବଦଳରେ ନିଜ ଦଳୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି। ଦୀର୍ଘକାଳ ଧରି ବିଭେଦ ଏବଂ ବିରୋଧ ଭିତର ଦେଇ ଶାସନ କରିବା ଅଭ୍ୟାସରେ ପରିଣତ ହୋଇଥିଲା। କିନ୍ତୁ ସେମାନେ ଅନୁଭବ କରିପାରୁ ନାହାନ୍ତି ଯେ ଭାରତର ଅଧିକାଂଶ ଲୋକ ଚାହୁଁଛନ୍ତି ରାଜନୀତିର ଊର୍ଦ୍ଧ୍ୱରେ ରହି ଲୋକପ୍ରତିନିଧିମାନେ ରାଷ୍ଟ୍ରକୁ ସଂଗଠିତ କରନ୍ତୁ। ବର୍ତ୍ତମାନ ଐକ୍ୟ, ପାରସ୍ପରିକ ବୁଝାମଣା ଏବଂ ସହଯୋଗିତା ଦ୍ୱାରା ଦେଶକୁ ଶାସନ କରିବାର ସମୟ ଆସିଯାଇଛି। ମିଥ୍ୟାଚାର, ଛଳନା, କଦର୍ଯ୍ୟ ଲଢ଼େଇକୁ ସାଧାରଣ ଜନତା ଆଦୌ ପସନ୍ଦ କରୁ ନାହାନ୍ତି। ଚଳିତ ନିର୍ବାଚନରେ ବଡ଼ ଆଶ୍ଚର୍ଯ୍ୟର କଥା ୨୦ କୋଟିରୁ ଊର୍ଦ୍ଧ୍ୱ ନୂତନ ଯୁବ ଭୋଟର ଭୋଟ ଦାନରେ ସାମିଲ ହୋଇ ରାଷ୍ଟ୍ରୀୟ କର୍ତ୍ତବ୍ୟ ପାଳନ କରିଛନ୍ତି। ତାଙ୍କର ଉନ୍ମାଦନା, ଅଫୁରନ୍ତ ଉତ୍ସାହ, ଦେଶପ୍ରେମ, ଜାତୀୟବାଦ, ଶୁଦ୍ଧ ଅନାବିଳ ସ୍ବଦେଶ ପ୍ରୀତି ଦେଖାଇଛନ୍ତି। ସମଗ୍ର ଦେଶ ଯେପରି ଗୋଟିଏ ସୂତ୍ରରେ ଆପେ ଆପେ ବାନ୍ଧି ହୋଇଯାଇଥିବା ଅନୁଭୂତ ହେଲା। ରାଷ୍ଟ୍ରୀୟ ଭାବନା,ରାଷ୍ଟ୍ରବାଦୀ ତତ୍ତ୍ୱ, ଦୁର୍ନୀତି, ଭ୍ରଷ୍ଟାଚାର ଦୂରୀକରଣ ଏଇସବୁ ଆହ୍ବାନ ତରୁଣ ଗୋଷ୍ଠୀଙ୍କ ମନକୁ ଖୁବ୍‌ ଛୁଇଁଥିଲା।
ତେବେ ଚଳିତ ନିର୍ବାଚନରେ ବହୁ ଦିନରୁ ଦେଶ ପାଇଁ ଅପଶକ୍ତି ପାଲଟି ଥିବା ଶକ୍ତିଗୁଡ଼ିକ ଏବେ ବି ମୁଣ୍ଡଟେକି ରହିଛନ୍ତି। ଦେଶ ଗଠନ ପାଇଁ ସେମାନଙ୍କ ମୂଳୋପତ୍ାଟନ ଏକାନ୍ତ ଆବଶ୍ୟକ। ତେବେ ଦେଶର ନିର୍ବାଚନକୁ ଏଯାବତ ନିୟନ୍ତ୍ରଣ କରି ଆସିଥିବା କେତେକ ଶକ୍ତି ବିଫଳ ହୋଇଥିବା ଦେଖାଯାଇଥିଲା। ଦୁର୍ବଳ ସମାଜରେ ଦେଶ ପ୍ରେମର ସ୍ଫୁଲିଙ୍ଗ ଉଦ୍ରେକ ହୋଇଥିବା ଦେଖାଗଲା। ଦେଶ ଗଠନରେ ନିଜକୁ ସାମିଲ କରିଥିବା କେତେକ ପୂର୍ବ ମାନ୍ଦାପନ୍ଥୀମାନେ ଏବେ ନିଷ୍କ୍ରିୟ ହୋଇଥିବା ଦେଖାଗଲା। ଜାତୀୟତାବାଦୀ ବା ବିପ୍ଳବପନ୍ଥୀମାନଙ୍କର ପୂର୍ବ ଭଳି ପ୍ରଭାବ ନଥିଲା। ମାନ୍ଦାପନ୍ଥୀମାନଙ୍କ ଚକ୍ରାନ୍ତକୁ ଭଣ୍ଡୁର କରିବା ପାଇଁ ଏଥର କଳକୌଶଳର ଆବଶ୍ୟକତା ଦେଖା ଦେଇ ନ ଥିଲା। ଓଡ଼ିଶା ନିର୍ବାଚନରେ ପରିବର୍ତ୍ତନର ଗୋଟେ ସୁଅ ଛୁଟିଥିବାର ଦେଖାଗଲା। ପରିବର୍ତ୍ତନକାରୀ ଜନତାଙ୍କ ମୁହଁକୁ ବନ୍ଦ କରିବା ପାଇଁ ଯେତେ ଅପଚେଷ୍ଟା କରାଯାଇଥିଲା ତାହା ସଫଳ ହୋଇପାରିଲା ନାହିଁ। କିନ୍ତୁ ଜଣାପଡ଼ିଲା ଯେ ଏଯାବତ କିଛି ରାଜନେତା ଅର୍ଥବଳ ପ୍ରୟୋଗ କରି ଅନାୟାସରେ ନିର୍ବାଚନ ବୈତରଣୀ ପାର ହୋଇ ଯାଉଥିଲେ। ସେମାନେ ଯେଉଁ ଉପାୟ ଅବଲମ୍ବନ କରୁଥିଲେ ସେ ଉପାୟଗୁଡ଼ିକ ଲୋକଲୋଚନକୁ ଆସିଯାଇଛି।
ସୟଦପୁର, ଯାଜପୁର,
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri