ବାଲିଘାଟରେ ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର

ଯାଜପୁର ଟାଉନ,୨୬।୩(ଡି.ଏନ୍‌.ଏ.): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତ କଳସପୁର ଗ୍ରାମର ଖରସ୍ରୋତା ନଦୀ ବାଲିଘାଟରୁ ବେଆଇନ ବାଲି ଚାଲାଣବେଳେ ଯାଜପୁର ଅତିରିକ୍ତ ତହସିଲଦାର ପ୍ରଗତିକା ଦାଶଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଅତିରିକ୍ତ ତହସିଲଦାର ସଦଳବଳ ଚଢ଼ାଉ କରିଥିଲେ। ଏହି ସମୟରେ ୨ଟି ହାଇୱା ଏବଂ ଗୋଟିଏ ଟ୍ରାକ୍ଟର ଆବଶ୍ୟକତାଠାରୁ ଅଧିକ ପରିମାଣର ବାଲି ଲୋଡ୍‌ କରିଥିବାରୁ ଅତିରିକ୍ତ ତହସିଲଦାର ଦାଶ ଗାଡ଼ିଗୁଡ଼ିକୁ କଳସପୁର ନଦୀ ବନ୍ଧରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ି ଚାଳକ ୱାଇ ଫର୍ମ ସହ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନ ଥିଲେ। କିଛି ସମୟ ପରେ ବାଲିଘାଟ ଲିଜ୍‌ଧାରୀ ପହଞ୍ଚତ୍ ନିଜକୁ ବାଲିଘାଟ ମାଲିକ ପରିଚୟ ଦେଇ ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନାନାଦି ଧମକ ଦେଇଥିଲେ। ଏଥିସହିତ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଜୋରଜବରଦସ୍ତ ଅଟକ ରଖିଥିଲେ। ଅତିରିକ୍ତ ତହସିଲଦାର ଜଣେ ମହିଳା ହାଇଥିବାରୁ ଅନ୍ୟ ଉପାୟ ନ ପାଇ ଯାଜପୁର ସଦର ଥାନାକୁ ଯୋଗାଯୋଗ କରିଥିଲେ। ସଦର ଥାନା ପୋଲିସ ପହଞ୍ଚତ୍ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଗାଡ଼ିଗୁଡ଼କୁ ଜବତ କରି ଥାନାକୁ ନେଇଥିଲା। ଏଥିସହିତ ଅତିରକ୍ତ ତହସିଲଦାରଙ୍କ ଗାଡ଼ିକୁ ଅଟକ ବ୍ୟକ୍ତିଙ୍କୁ କବଳରୁ ଉଦ୍ଧାର କରିଥିଲା। ଏଭଳି ବାଲି ମାଫିଆଙ୍କ ଦୌରାମତ୍‌ୟ ଦିନକୁ ଦିନ ବଢୁଥିବାବେଳେ ମାଫିଆଙ୍କ ପଛରେ ଏକ ଅଦୃଶ୍ୟ ଶକ୍ତିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହି ବାଲିଘାଟକୁ ସରକାରୀସ୍ତରରେ ବେଆଇନ ଘୋଷଣା କରିବାକୁ ସ୍ଥାନୀୟ ଜନାସାଧାରଣ ଦାବି କରିଛନ୍ତି।