ଅପବିକ୍ରୟ: ଏକ କଳଙ୍କିତ ଅଧ୍ୟାୟ

କହି ପୋଛି ଜାଣେ ଯିଏ, ପଚା ଚିଙ୍ଗୁଡ଼ି ବିକେ ସିଏ- ଏହି ଉକ୍ତିଟି ଆଜିର ବ୍ୟାଙ୍କଗୁଡ଼ିକ ପାଇଁ ପ୍ରଯୁଜ୍ୟ। ମହାକାଳ ଫଳ ଭାରି ସୁନ୍ଦର, ଭିତରଟା ଦେଖ ପୋଡ଼ା ଅଙ୍ଗାର ନ୍ୟାୟରେ ବାହାରକୁ ସୁନ୍ଦର ଲାଗୁଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ବୃଦ୍ଧି ପାଉଥିବା ଅପବିକ୍ରୟ ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ। ଅପବିକ୍ରୟ ଦ୍ୱାରା ବ୍ୟାଙ୍କ ନିଜର ବିଶ୍ୱସନୀୟତା ହରାଉଛି। ଅପବିକ୍ରୟର ଶିକାର ହେଉଥିବା ଗ୍ରାହକମାନେ ଆର୍ଥିକ କ୍ଷତି ସହୁଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସାର୍ବଜନୀନ ଉନ୍ନତିର ଆଭିମୁଖ୍ୟ ପ୍ରତିହତ ହେଉଛି।
ଅପବିକ୍ରୟ ବା ମିସ୍‌ ସେଲିଂ ହେଉଛି ଏକ ବିକ୍ରୟ ପ୍ରକ୍ରିୟା। ଏହାଦ୍ୱାରା ଗ୍ରାହକ ବା ଉପଭୋକ୍ତାଙ୍କୁ ଚତୁରତାର ସହ ଉତ୍ପାଦିତ ଦ୍ରବ୍ୟ ବା ଏକ ସେବାକୁ ଭୁଲ୍‌ ଭାବରେ ଉପସ୍ଥାପନ କରି ବିକ୍ରୟ କରାଯାଏ। ଉତ୍ପାଦିତ ଦ୍ରବ୍ୟ ବା ସେବାର ସତ୍ୟାସତ୍ୟକୁ ପ୍ରାଧାନ୍ୟ ନ ଦେଇ ଏହାର ବିକ୍ରି ସହ ସଂଶ୍ଳିଷ୍ଟ ବ୍ୟକ୍ତି, ଦଲାଲ, ଆର୍ଥିକ ପରାମର୍ଶଦାତା ବା ବିକ୍ରୟକାରୀ ସଂସ୍ଥା ନିଜର ଲାଭ ପାଇଁ ଗ୍ରାହକଙ୍କ ଉପରେ ଏହା ଲଦି ଦିଅନ୍ତି। ଆର୍ଥିକ ସେବାକ୍ଷେତ୍ରରେ ମୂଳତଃ ଜୀବନ ବୀମା ପଲିସିର ଅପବିକ୍ରୟ ଅଧିକ ବୃଦ୍ଧି ପାଇଛି।
ଭାରତୀୟ ବୀମା ବିନିୟାମକ ଓ ବିକାଶ ପ୍ରାଧିକରଣର ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଞ୍ଜୀକୃତ ହୋଇଥିବା ୧,୨୪,୨୯୩ ଅଭିଯୋଗ ମଧ୍ୟରୁ ୨୦% ହେଉଛି ବୀମା ଅପବିକ୍ରୟ ସମ୍ବନ୍ଧିତ। ବ୍ୟାଙ୍କ ଶାଖାଗୁଡ଼ିକରେ ଜୀବନ ବୀମା ଅପବିକ୍ରୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗମ୍ଭୀରତାର ସହ ବିଚାର କରୁଛି।
ବ୍ୟାଙ୍କ ଶାଖାଗୁଡ଼ିକରେ ପ୍ରବଳ ମାତ୍ରାରେ ଜୀବନ ବୀମା ପଲିସିର ଅପବିକ୍ରୟ ହେଉଛି। ବୀମା ଅପବିକ୍ରୟ ରୋକିବା ପାଇଁ ବ୍ୟାଙ୍କଗୁଡ଼ିକ ଦୃଢ଼ ପଦକ୍ଷେପ ନେଉଥିବାର କୁହାଯାଉଛି। ବ୍ୟାଙ୍କର ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଉଛି। ବୋଧହୁଏ ସରକାର, ରିଜର୍ଭ ବ୍ୟାଙ୍କ, ଆଇଆରଡିଏଆଇ ଏବଂ ସେବି ଭଳି ରେଗୁଲେଟର, ବ୍ୟାଙ୍କ ଶାଖାରେ ହେଉଥିବା ବୀମା ବିକ୍ରୟ ପ୍ରକ୍ରିୟା, ପ୍ରଣାଳୀ ଓ ଅନ୍ୟାନ୍ୟ ବ୍ୟାଙ୍କ ବାଧକତା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅବଗତ ନାହାନ୍ତି।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଭଳି ଦୁଇ ଅତ୍ୟନ୍ତ ଲୋକପ୍ରିୟ ବୀମା ସମ୍ବନ୍ଧରେ ଅନେକ ନବାଗତ ବ୍ୟାଙ୍କ କର୍ମଚାରୀ ଅବଗତ ନାହାନ୍ତି। କଁା ଭଁା କେତୋଟି ହାତଗଣତି ବ୍ୟାଙ୍କ ଶାଖା ବ୍ୟତୀତ ଉକ୍ତ ଦୁଇ ବୀମା ବିଷୟରେ କୌଣସି ସୂଚନା, ବ୍ୟାଙ୍କ ଶାଖାଗୁଡ଼ିକରେ ଦେଖିବା ପାଇଁ ମିଳେ ନାହିଁ। ବ୍ୟାଙ୍କମାନଙ୍କ ଏପରି ମାନସିକତା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାର୍ବଜନୀନ ଆର୍ଥିକ ଉନ୍ନତିର ପ୍ରତିବନ୍ଧକ।
ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଓ ବ୍ୟାଙ୍କର ବିଶ୍ୱସନୀୟତା ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ବୀମାର ବହୁଳ ଅପବିକ୍ରୟ ଦ୍ୱାରା ଗ୍ରାହକମାନେ ବ୍ୟାଙ୍କ ଶାଖାକୁ ଆସିବା କମ କରିଦେଳେଣି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିବା ଲାଗି ମଧ୍ୟ କୁଣ୍ଠାବୋଧ କରୁଛନ୍ତି।
ଅତ୍ୟଧିକ ଚାପର ବଶବର୍ତ୍ତୀ ହୋଇ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ କର୍ମଚାରୀମାନେ ଗ୍ରାହକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ବୀମା ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଯେଉଁମାନେ ବୀମା ବିକ୍ରୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରୁନାହାନ୍ତି, ସେମାନଙ୍କ ଦକ୍ଷତା ପ୍ରତି କଟାକ୍ଷ କରାଯାଉଛି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଅପମାନଜନକ କଟୁ ମନ୍ତବ୍ୟ ଶାଖାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମନୋବଳ ପ୍ରତି କଠୋର ଆଘାତ।
ଅଧିକ କମିଶନ, ବିଦେଶ ଗସ୍ତ ଓ ଅନ୍ୟାନ୍ୟ ପୁରସ୍କାରର ପ୍ରଲୋଭନ ହୁଏତ ବୀମାର ଅପବିକ୍ରୟ କରିବାକୁ କେତେକ ହାତଗଣତି କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିପାରେ, କିନ୍ତୁ ଅଧିକତର କର୍ମଚାରୀ ନିଜ ଚାକିରି ଓ ନିତ୍ୟ ଅପମାନରୁ ବଞ୍ଚତ୍ବା ପାଇଁ ମିଥ୍ୟାର ଆଶ୍ରୟ ନେବାକୁ ବାଧ୍ୟ ହୋଇଥାଆନ୍ତି।
ଅପବିକ୍ରୟର ଖବର ଜଣାପଡ଼ିଲେ ସମ୍ପୂର୍ଣ୍ଣ ଦୋଷ ଆଗଧାଡ଼ିର କର୍ମଚାରୀମାନଙ୍କ ଉପରେ ଲଦି ଦିଆଯାଏ। ପଲିସି ବିକିବେ ସେଇମାନେ। ଅନିୟମିତତା ଧରାପଡ଼ିଲେ ସେମାନଙ୍କୁ ଦଣ୍ତ ଭୋଗିବାକୁ ପଡ଼େ। ପଲିସି ବିକିବାକୁ ଉପରୁ ପ୍ରବଳ ଚାପ। ବିକି ନ ପାରିଲେ ଅପମାନ ଓ ଚାକିରି ଚାଲିଯିବାର ଭୟ।
ପୁରାଣ ପୃଷ୍ଠାର କାହାଣୀଟିଏ। ଜଣେ ମାଳୀର ଫୁଲ ବଗିଚାରେ ଦିନେ ଗାଈ ପଶି ଫୁଲ ଗଛଗୁଡ଼ିକୁ ନଷ୍ଟ କରିଦେଲା। ମାଳୀ ଗାଈକୁ ଲାଠିରେ ପ୍ରହାର କଲା ଓ ଗାଈଟି ପ୍ରାଣତ୍ୟାଗ କଲା। ସଙ୍ଗେ ସଙ୍ଗେ ଗୋହତ୍ୟା ପାପ ସେଠାରେ ପହଞ୍ଚତ୍ ମାଳୀକୁ କହିଲା, ତମକୁ ଗୋହତ୍ୟା ପାପ ଲାଗିଛି। ମାଳୀ ପାପ କବଳରୁ ରକ୍ଷାପାଇବା ପାଇଁ ଉପାୟ ଚିନ୍ତା କଲା। ସେ ପଣ୍ତିତଙ୍କଠାରୁ ଶୁଣିଥିଲା ଯେ, ହାତର ଦେବତା ହେଉଛନ୍ତି ଇନ୍ଦ୍ର। ତାଙ୍କରି ନିର୍ଦ୍ଦେଶରେ ହାତ କାମ କରେ। ସେ ଗୋହତ୍ୟା ପାପକୁ କହିଲା, ଗାଈକୁ ମୁଁ ମାରିନାହିଁ। ଗାଈକୁ ମାରିଛି ଇନ୍ଦ୍ର। ଇନ୍ଦ୍ରଦେବଙ୍କୁ ଯାଇ ଦଣ୍ତଦିଅ। ପାପ ସେଠାରୁ ଚାଲିଯାଇ ଇନ୍ଦ୍ରଙ୍କୁ ସମସ୍ତ ବିବରଣୀ ଜଣାଇବା ପରେ କହିଲା, ଆପଣ ଗୋହତ୍ୟା କରିଛନ୍ତି। ଆପଣଙ୍କୁ ଦଣ୍ତ ଭୋଗିବାକୁ ହେବ।
ଏକଥା ଶୁଣି ଇନ୍ଦ୍ର ଆଶ୍ଚର୍ଯ୍ୟ ହେଲେ। ମାଳୀ କାହିଁକି ତାଙ୍କ ଉପରେ ଗୋହତ୍ୟା ଦୋଷ ଲଦିଲା? ପାପକୁ ସେଠାରେ କିଛି ସମୟ ଅପେକ୍ଷା କରିବାକୁ କହି ଇନ୍ଦ୍ର ଛଦ୍ମବେଶରେ ବଗିଚା ପାଖରେ ପହଞ୍ଚତ୍ଲେ। ବଗିଚାରେ କାର୍ଯ୍ୟରତ ଲୋକମାନଙ୍କୁ ପଚାରିଲେ, ଏ ବଗିଚାର ମାଳୀ କିଏ? ତାଙ୍କ ସହ ଭେଟ କରିବାକୁ ମୋର ଭାରି ଇଚ୍ଛା। ମାଳୀ କାନରେ ଏକଥା ପଡ଼ିବାମାତ୍ରେ ସେ ଛଦ୍ମବେଶୀ ଇନ୍ଦ୍ରଙ୍କ ଆଗକୁ ଆସି କହିଲା, ଏହି ସ୍ଥାନରେ ପୂର୍ବରୁ ଘନ ଜଙ୍ଗଲ ଥିଲା। ଏହି ହାତରେ ମୁଁ ଜଙ୍ଗଲ ସଫା କରିଛି। ଦୂର ସ୍ଥାନରୁ ବିଭିନ୍ନ ଫୁଲଗଛ ଆଣି ଏଠାରେ ଲଗାଇଛି। ଏହି ହାତରେ କଷ୍ଟ କରି ପ୍ରତ୍ୟେକ ଗଛମୂଳରେ ପାଣି ଦିଏ। ସେ ଗର୍ବରେ ନିଜର ଦୁଇ ହାତ ଟେକି ଆଗନ୍ତୁକଙ୍କ ଆଗରେ ନିଜ ହାତର ଗରିମା ଗପିଲା।
ଛଦ୍ମବେଶୀ ଇନ୍ଦ୍ର ନିଜକୁ ପ୍ରକଟ କରି କହିଲେ, ତମ ହାତ ପାଇଁ ସବୁ ପ୍ରଶଂସା ଦାବି କରୁଛ ଓ ଲାଭ ନେଉଛ। କିନ୍ତୁ ଗୋହତ୍ୟା ପାପ ଇନ୍ଦ୍ରଙ୍କ ଉପରେ ଲଦିଦେଉଛ? ଗାଈକୁ ତମେ ମାରିଛ। ତେଣୁ ଗୋହତ୍ୟା ପାପ ବି ତୁମକୁ ଭୋଗିବାକୁ ହେବ।
ଏହି ଗଳ୍ପ ଆମକୁ ଶିକ୍ଷାଦିଏ, ନିଜର ଭୁଲ୍‌ ପାଇଁ ଅନ୍ୟକୁ ଦୋଷଦେବା ଅନୁଚିତ୍‌। ବୀମା ବିକ୍ରୟରୁ ବ୍ୟାଙ୍କର ହେଉଥିବା ଲାଭ ପାଇଁ ଯେପରି ଉଚ୍ଚ ପଦସ୍ଥ ଅଧିକାରୀମାନେ ଶ୍ରେୟ ଦାବି କରନ୍ତି। ସେହିପରି ଅପବିକ୍ରୟରୁ ହେଉଥିବା ଅନିୟମିତତା ପାଇଁ ସେମାନେ ହିଁ ଦାୟୀ।
ବ୍ୟାଙ୍କର ଲାଭ କେଉଁ କେଉଁ ସୂତ୍ରରୁ ଆସୁଛି, ତାହାର ବିଶ୍ଳେଷଣ କରିବା ଦରକାର। ବୀମା ଅପବିକ୍ରୟ ଏ ସମୟର ଏକ ଗମ୍ଭୀର ସମସ୍ୟା। ଏହାର ମୂଳୋତ୍ପାଟନ କରିବା ପାଇଁ ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଦରକାର।

ଅନନ୍ତ ଚରଣ ସ୍ବାଇଁ
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri