Categories: ଜାତୀୟ

୨୦୩୦ ପର୍ଯ୍ୟନ୍ତ ଆବୁ ସାଲେମଙ୍କୁ ମୁକ୍ତ କରିହେବ ନାହିଁ , ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ୨୦୩୦ ପର୍ଯ୍ୟନ୍ତ ମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ତାଙ୍କର ୨୫ ବର୍ଷର ଜେଲ ଶେଷ ହେବା ପରେ କେନ୍ଦ୍ର ସରକାର ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ବିଷୟରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ।

ବିଚାରପତି ସଞ୍ଜୟ କିଶନ କୌଲ ଏବଂ ଏମ୍‌. ଏମ୍‌.ଏମ୍‌. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ସୋମବାର ପ୍ରଦାନ କରିଛନ୍ତି।

୧୯୯୩ ମୁମ୍ବାଇ ବିସ୍ଫୋରଣର ଅପରାଧୀ ଆବୁ ସାଲେମ ସୁପ୍ରିମକୋର୍ଟରେ ଦୁଇଟି ମାମଲାରେ ତାଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ। ସେ ଦାବି କରିଛନ୍ତି ଯେ ପର୍ତ୍ତୁଗାଲରୁ ତାଙ୍କ ପ୍ରତ୍ୟର୍ପଣରେ ଦିଆଯାଇଥିବା ସର୍ତ୍ତ ଅନୁଯାୟୀ ତାଙ୍କ ଜେଲଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ। ତେଣୁ ତାଙ୍କୁ ୨୦୨୭ରେ ମୁକ୍ତ କରାଯିବା ଉଚିତ।

ଏହାର ଜବାବରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସାଲେମଙ୍କ ମୁକ୍ତିକୁ ବିଚାର କରିବାର ସମୟ ୨୦୨୭ ନୁହେଁ ୨୦୩୦ରେ ଆସିବ। କାରଣ ତାଙ୍କୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରାଯାଇଥିଲା ଏବଂ ୨୦୦୫ ରେ ଭାରତକୁ ଅଣାଯାଇଥିଲା। ଏନେଇ ୨୦୩୦ରେ ସରକାର ଆବଶ୍ୟକ ନିଷ୍ପତ୍ତି ନେବେ।

୨୦୦୫ରେ ପର୍ତ୍ତୁଗାଲରୁ ଭାରତକୁ ଆବୁ ସାଲେମଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା। ସେ ତାଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଭାରତ ସରକାର୨୦୦୨ ରେ ପର୍ତ୍ତୁଗାଲ ସରକାରଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ କିମ୍ବା କୌଣସି ମାମଲାରେ ୨୫ ବର୍ଷରୁ ଅଧିକ ଜେଲଦଣ୍ଡାଦେଶ ହେବ ନାହିଁ। କିନ୍ତୁ ମୁମ୍ବାଇର ସ୍ବତନ୍ତ୍ର ଟାଡା କୋର୍ଟଙ୍କ ପକ୍ଷରୁ ତାଙ୍କୁ ୧୯୯୩ରେ ମୁମ୍ବାଇ ବୋମା ବିସ୍ଫୋରଣ ସମେତ ଦୁଇଟି ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଗ୍ୟାଙ୍ଗଷ୍ଟର ସର୍ବୋଚ୍ଚ ନ୍ୟାୟାଳୟରେ ଦାବି କରିଥିଲେ ଯେ ତାଙ୍କ ମୁକ୍ତି ପାଇଁ ୨୦୦୨କୁ ତାରିଖ ଭାବେ ଗ୍ରହଣ କରାଯାଉ। କାରଣ ସେତେବେଳେ ତାଙ୍କୁ ପର୍ତ୍ତୁଗାଲରେ ଗିରଫ କରାଯାଇଥିଲା। ସେହି ଅନୁଯାୟୀ, ୨୫ ବର୍ଷର ସମୟ ସୀମା ୨୦୨୭ରେ ଶେଷ ହେଉଛି।

 

Share