ଭୋକିଲା ଈଶ୍ୱରଙ୍କ ସମ୍ପର୍କରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଈଶ୍ୱର ପୁଣି ଭୋକିଲା ରହିପାରନ୍ତି, ଏଭଳି ଅଜବ କଥା କେହି ବି ବିଶ୍ୱାସ କରିବେନି। ସେ ଖାଆନ୍ତୁ କି ନ ଖାଆନ୍ତୁ, ତାଙ୍କୁ ଖାଇବାକୁ ଦେବା ପାଇଁ ଏଠି ଯେମିତି ଭକ୍ତଗଣଙ୍କର ପାଗଳ ପ୍ରତିଯୋଗିତା, ତହିଁରେ କ୍ଷୁଧାର୍ତ୍ତ ଈଶ୍ୱରଙ୍କ ପରିକଳ୍ପନା ଏକାନ୍ତ ଅବାସ୍ତବ ଓ ଅବିଶ୍ୱସନୀୟ। ଅବଶ୍ୟ ଏଇ ଭୋକିଲା ଈଶ୍ୱର ସ୍ବର୍ଗର ଅକଳାପୁରୀରେ ନ ଥା’ନ୍ତି କି ମର୍ତ୍ତ୍ୟର ମନ୍ଦିରରେ ପୂଜା ପାଉ ନ ଥା’ନ୍ତି। କେବଳ ଜଣେ ନୁହେଁ, ଏମିତି ବହୁ ଈଶ୍ୱର ସଚରାଚର ଏଇ ସମାଜ ମଧ୍ୟରେ ବିଚରଣ କରୁଥା’ନ୍ତି, କେଉଁଠି ଶିକ୍ଷକ ବା ମାଷ୍ଟର ରୂପରେ ତ ପୁଣି କେଉଁଠି ଅଧ୍ୟାପକ ବା ପ୍ରଫେସର ରୂପରେ। ସ୍ଥୂଳ ରୂପରେ ଏମାନଙ୍କ ପରିଚୟ ଶିକ୍ଷକ ବା ଅଧ୍ୟାପକ ହେଲେ ମଧ୍ୟ ଆମ ସଂସ୍କାରନିଷ୍ଠ ସମାଜର ସୂକ୍ଷ୍ମ ଦୃଷ୍ଟିରେ ଏମାନେ ଗୁରୁ ରୂପେ ବିବେଚିତ ହୋଇଥା’ନ୍ତି ଏବଂ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସାକାର ସମନ୍ବୟ ପରଂବ୍ରହ୍ମ ମାନ୍ୟତା ଅର୍ଜନ କରିଥା’ନ୍ତି।
ଜୀବନର ବୃତ୍ତି ହେଉ କି ବ୍ରତ, ବିଦ୍ୟାଦାନ ଭଳି ମହତ୍‌ କାର୍ଯ୍ୟରେ ନିରନ୍ତର ବ୍ୟାପୃତ ରହୁଥିବା ଗୁରୁମାନଙ୍କୁ ଈଶ୍ୱରଙ୍କ ସମକକ୍ଷ ଭାବେ ସାମାଜିକ ସ୍ବୀକୃତି ମିଳିବା କେତେ ଯେ ଗୌରବର ବିଷୟ! ଅଥଚ ଏଇ ଉଜ୍ଜ୍ୱଳ ଗୌରବର ଅନ୍ତରାଳେ ଅଭାବ ଅନ୍ଧକାରର କଳାଛାୟାଟିଏ ଥାଏ। ହୃଦ୍ୟ ପରିତୃପ୍ତିର ଉହାଡ଼ରେ ଅସହ୍ୟ ଅତୃପ୍ତିର ଅଗ୍ନି କଣାଟାଏ ଦିକ୍‌ଦିକ୍‌ ହୋଇ ଜଳି ଉଠୁଥାଏ। ଈଶ୍ୱର ବୋଲାଇବାର ମହାର୍ଘ ଗୌରବବୋଧ ମଧ୍ୟରେ ପରିସ୍ଫୁଟିତ ହେଉଥାଏ ଭୋକିଲା ରହିବାର ଅଭିଶପ୍ତ ଅନୁଭବ।
ସେପ୍ଟେମ୍ବର ୫ରେ ଦେଶବ୍ୟାପୀ ପାଳିତ ହୋଇଥିଲା ଗୁରୁଦିବସ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଭା ସମାବେଶ ମାଧ୍ୟମରେ ଶିକ୍ଷକମାନଙ୍କ ସମର୍ପିତ ସାଧନା ପ୍ରତି କୃତଜ୍ଞ ସମାଜର ସମ୍ମାନ ପ୍ରଦର୍ଶିତ ଅନୁଷ୍ଠିତ ହେଉଥିଲା ବେଳେ ଆମ ରାଜଧାନୀରେ ସହସ୍ରାଧିକ ଶିକ୍ଷକ ବଷର୍ର୍ା ମାଡ଼ ଖାଇ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ ପ୍ରକଟ କରୁଥିଲେ ସରକାରଙ୍କ ଅବ୍ୟବସ୍ଥା ବିରୋଧରେ। ଟିଭି ସମାଚାର ସୂତ୍ରରୁ ଏଭଳି ଦୃଶ୍ୟ ଅବଲୋକନ କରି ଜଣେ ଅବସରପ୍ରାପ୍ତ ପ୍ରଶାସକ ବନ୍ଧୁ ସାଢ଼େ ଆଠବର୍ଷ ପୂର୍ବରୁ ଅଧ୍ୟାପନା ବୃତ୍ତିରୁ ଅବସର ନେଇଥିବା ଏ ଲେଖକଙ୍କୁ କଟାକ୍ଷ କରି କହିଲେ, ”ଆଜି ଦିନଟି ଯାହାଙ୍କ ସମ୍ମାନ ପାଇଁ ସମର୍ପିତ, ସେମାନଙ୍କୁ ରାଜରାସ୍ତାରେ କୁହାଟ ଛାଡୁଥିବାର ଦେଖିଲେ ସେଇ ତଥାକଥିତ ଈଶ୍ୱରଙ୍କ ଈଶ୍ୱରତ୍ୱ ଉପରେ ମନରେ ସନ୍ଦେହ ଆସୁଛି। ଈଶ୍ୱର ମାନେ କ’ଣ ନିଜ ଦାବି ପୂରଣ ପାଇଁ ଟ୍ରେଡ୍‌ ୟୁନିୟନ ଶ୍ରମିକମାନଙ୍କ ପରି ରାଜରାସ୍ତାକୁ ଓହ୍ଲାଇ ଆସନ୍ତି?“
ବନ୍ଧୁଙ୍କର ଏହି ବିଦ୍ରୂପ ଜୀବନର ବେଶ୍‌ କିଛି କାଳ ଶିକ୍ଷକ ବୃତ୍ତିରେ ଥିବା ଲୋକଟିର କାନକୁ ମିଠା ଲାଗନ୍ତା ନାହିଁ। ମାତ୍ର ପାଖାପାଖି ଗୋଟିଏ ଦଶନ୍ଧି ମଧ୍ୟରେ ମହାନଦୀରେ ବହୁ ଜଳ ପ୍ରବାହିତ ହୋଇ ଯାଇଥିବାରୁ, ଶିକ୍ଷା କ୍ଷେତ୍ରର ନିଯୁକ୍ତି ନିୟମରେ ବ୍ୟାପକ ପରିବର୍ତ୍ତନ ଆସିଥିବାରୁ, ସେ ସମ୍ପର୍କରେ ଅବଗତ ନ ଥିବା ଏ ଲେଖକ କେମିତି ବା ପ୍ରତ୍ୟୁତ୍ତର ଦେଇପାରି ଥାଆନ୍ତା ସେମିତି ଏକ ଅବାଞ୍ଛିତ ଟିପ୍ପଣୀର! ସୁତରାଂ ସେଦିନର ସେଇ ବିକ୍ଷୋଭ ସହ ସମ୍ପୃକ୍ତ ତା’ର ଜଣେ ପରିଚିତ ଅଧ୍ୟାପକଙ୍କଠୁ ସେ ତାହାର କାରଣ ଜାଣିବାକୁ ଚାହିଁଲା ଓ ଯାହା ଜାଣିଲା, ତାହା ଥିଲା ଏକ ନିଷ୍ଠୁର ବାସ୍ତବତାର କରୁଣ ଚିତ୍ରପଟ।
ବିଭିନ୍ନ ବର୍ଗୀକରଣର ବହୁଧା ବିଭକ୍ତ କଲେଜ ଅଧ୍ୟାପକଙ୍କ ମଧ୍ୟରେ ଆକାଶ ଥିଲେ ତୃତୀୟ ବର୍ଗର ଛଅଶହ ବାଷଠି ଗୋଷ୍ଠୀର ଜଣେ ଅଧ୍ୟାପକ, ଯିଏ ଊଣେଇଶ ବର୍ଷ କାଳ ବିନା କୌଣସି ସରକାରୀ ଅନୁଦାନରେ ଚାକିରି କଲା ପରେ ଆଜକୁ ଚଉଦ ବର୍ଷ ତଳେ ପ୍ରଥମ କରି ଯେଉଁ ସରକାରୀ ଅନୁଦାନ ମୁହଁ ଦେଖିଥିଲେ, ତାହାର ପରିମାଣ ଥିଲା ପାଞ୍ଚ ହଜାର ସାତଶହ ତେତିଶ ଟଙ୍କା। ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କୁ ହାରି ଗୁହାରି ଜଣାଇ ଅବସର ନେବାକୁ ଆଉ ମାତ୍ର ତିନିବର୍ଷ ବାକି ଥିବା ବେଳେ ଏଯାଏଁ ବି ଚାକିରି ସହ ସଂଲଗ୍ନ ଅନ୍ୟ କୌଣସି ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହୋଇନାହିଁ। ଅବସର ପରର ପେନ୍‌ସନ କଥା ଦୂରେଥାଉ, ଚାକିରିକାଳୀନ ଛୁଟି ମଧ୍ୟ ବତିଶ ବର୍ଷର ଚାକିରି ପରେ ବି ଏକ ଦୂରନ୍ତ ସମ୍ଭାବନାର କଥା। ଅବସ୍ଥା ଏପରି ଯେ, ବର୍ଷକୁ ଚଉଦ ଦିନର ସାମୟିକ ଛୁଟି ପରେ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ଅବା କୌଣସି ରୋଗରେ ପଡ଼ି ଡାକ୍ତରଖାନାରେ ଭର୍ତ୍ତି ହେଲେ ଅବା ପନତ୍ୀପିଲାଙ୍କ ସ୍ବାସ୍ଥ୍ୟ ସଙ୍କଟ ପାଇଁ କିମ୍ବା ପିତାମାତାଙ୍କ ଶ୍ରାଦ୍ଧ ପାଇଁ ଛୁଟିରେ ରହିଲେ କାମ ନାହିଁ ତ ଦରମା ନାହିଁ। ଦୀର୍ଘଶ୍ୱାସ ନେଇ ଆକାଶ କହୁଥିଲେ, ”ଗୋତି ଶ୍ରମିକଙ୍କଠୁ ଆହୁରି ହୀନିମାନ ଚାକିରି ସର୍ତ୍ତାବଳୀ ସହ ଚାକିରିରୁ ଅବସର ନେଇଥିବା ଆମର କିଛି ଅଗ୍ରଜମାନଙ୍କୁ ଏବେ ପାନଦୋକାନ ଦେଇ ନିଜ ପରିବାର ପ୍ରତିପୋଷଣ କରୁଥିବାର ଦେଖି ପ୍ରତି ମୁହୂର୍ତ୍ତରେ ଆମ ଭବିଷ୍ୟତକୁ ନେଇ ଆମେ ଆତଙ୍କିତ ହୋଇ ବଞ୍ଚୁଛୁ।“
ଆକାଶ ପୁଣି କହୁଥିଲେ, ”ଆମ ଭଳି ଅଧ୍ୟାପକ ଶାସନ ବ୍ୟବସ୍ଥାର ଏକ ଅପାଙ୍‌କ୍ତେୟ, ଅବାଞ୍ଛିତ ଜୀବ। ଆମ ପାଇଁ ଚାକିରି ସର୍ତ୍ତାବଳୀ ବୋଲି କିଛି ନାହିଁ। ଅର୍ଜିତ ଛୁଟି ବା ମେଡିକାଲ ଛୁଟି ନାହିଁ। ଘରଭଡ଼ାର ଆଶା ରଖିବା କି ଚିକିତ୍ସା ଭତ୍ତାର ସ୍ବପ୍ନ ଦେଖିବା ପାଇଁ ଆମର ଯୋଗ୍ୟତା ନାହିଁ। ସତେ ଯେମିତି ଖୋଲା ଆକାଶ ତଳେ, ବିନା କୌଣସି ରୋଗବ୍ୟାଧିରେ ଆମେ ଓ ଆମ ପରିବାର ବଞ୍ଚତ୍ ରହିବା ବିଧିନିର୍ଦ୍ଦିଷ୍ଟ! ଅଥଚ ଆମ ପ୍ରତିପକ୍ଷ ସରକାରୀ କଲେଜର ଅଧ୍ୟାପକ ଘରଭଡ଼ା ପାଆନ୍ତି, ଆବଶ୍ୟକ ସ୍ଥଳେ ଚିକିତ୍ସା ଭତ୍ତା ପାଆନ୍ତି, ପୁଣି ଚାକିରି କାଳରେ ଅର୍ଜିତ ଛୁଟିକୁ ବିକ୍ରି କରି ଅବସର ପୂର୍ବରୁ ବେଶ୍‌ କିଛି ଅର୍ଥ ଅର୍ଜନ କରନ୍ତି ଓ ଅବସର ପରେ ପେନ୍‌ସନ ପାଆନ୍ତି। ଆମ ଭଳି ବେସରକାରୀ ବୋଲାଉଥିବା ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକମାନେ ବି ତାଙ୍କ ସରକାରୀ ପ୍ରତିପକ୍ଷଙ୍କ ତୁଳନାରେ କିଛି ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଲେ ମଧ୍ୟ ଅବସର ପରେ ପେନ୍‌ସନ ଓ ଗ୍ରାଚ୍ୟୁଇଟି ଇତ୍ୟାଦି ପାଇ ସରକାରୀ ହୋଇଯାଆନ୍ତି। ଲକ୍ଷ୍ୟ କରିବାର କଥା, ସବୁ ବର୍ଗର ଅଧ୍ୟାପକଙ୍କ ନିମନ୍ତେ ଆବଶ୍ୟକ ହୋଇଥାଏ ଏକା ଶିକ୍ଷାଗତ ଯୋଗ୍ୟତା। ବିିଭିନ୍ନ ବର୍ଗର ଅଧ୍ୟାପକଠୁଁ ଶିକ୍ଷାଲାଭ କରିଥିବା ବିଦ୍ୟାର୍ଥୀଗଣ ଏକପ୍ରକାର ଡିଗ୍ରୀ ପାଇଥାଆନ୍ତି। ଏକା ପାଠ୍ୟଖସଡ଼ା, ଏକପ୍ରକାର ପରୀକ୍ଷା ପଦ୍ଧତି। କୌଣସିଥିରେ କିଛି ତାରତମ୍ୟ ନାହିଁ। କେବଳ ଯାହା ଗୋଟିଏ ବର୍ଗ ସକଳ ସୁବିଧା ସୁଯୋଗର ଅଧିକାରୀ ହୋଇ ସାମାଜିକ ପ୍ରତିଷ୍ଠା ଓ ପରିଚୟରେ ଶୀର୍ଷ ସ୍ଥାନିତ ତ ଅନ୍ୟ ବର୍ଗଟି ନିମ୍ନତମ ଅଧିକାରରୁ ବଞ୍ଚତ୍ତ ସମାଜର ପଛଧାଡ଼ିର ନାଗରିକ!“
ଆକାଶ ଥିଲେ ସେହି ଶିକ୍ଷକ ଗୋଷ୍ଠୀର ପ୍ରତିନିଧି, ଯାହାଙ୍କ ଅସନ୍ତୋଷ, ଅବସୋସ ଓ ସରକାରଙ୍କ ଅବିଚାର ବିରୋଧରେ ଅଭିଯୋଗ ଆକାଶ ପରି ଢେର୍‌ ବିସ୍ତାରିତ। ଗୁରୁଦିବସ ଅବସରରେ ସେମାନେ ଆଦୌ ଖୁସି ହୋଇପାରୁ ନ ଥିଲେ। ପେଟର ଭୋକ ଜ୍ୱାଳାରେ ଯେତେବେଳେ ସମସ୍ତ ସତ୍ତା ଜର୍ଜରିତ, ଅବସର ପରର ଏକ ନିରାପତ୍ତା ବିହୀନ ଭୟଙ୍କର ଭବିଷ୍ୟତର ସମ୍ଭାବନାରେ ସନ୍ତ୍ରସ୍ତ, ସେତେବେଳେ ଏକ ଅସହାୟ ଗୁରୁ ଈଶ୍ୱରର ମିଥ୍ୟା ପରିଚୟ ନେଇ ଉଲ୍ଲସିତ ହୁଅନ୍ତେ ବା କିପରି!
ଈଶ୍ୱରମାନେ ନିଜର ଦାବି ପୂରଣ ପାଇଁ ରାଜରାସ୍ତାରେ କୁହାଟ ଛାଡ଼ିବା ଅନୁଚିତ ବୋଲି ଯେଉଁମାନେ କହନ୍ତି; ସେମାନେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ପାର୍ଥିବ ଜଗତର ଅନ୍ୟସବୁ ପ୍ରାଣୀଙ୍କ ପରି ଈଶ୍ୱରମାନଙ୍କର ପେଟଟିଏ ଥାଏ ଓ ପେଟ ପାଇଁ ଭୋକ ମଧ୍ୟ ଥାଏ। ଈଶ୍ୱରଟିଏ ନିଜ ଈଶ୍ୱରତ୍ୱ ସମ୍ପର୍କରେ ସେତେବେଳେ ସଚେତନ ଥାଏ, ଯେତେବେଳେ ଭବିଷ୍ୟତରେ ତା’ ପେଟକୁ ମୁଠାଏ ଦାନା ଯୋଗାଇବାର ଚିନ୍ତା ନ ଥାଏ। ପ୍ରଚଣ୍ଡ କ୍ଷୁଧାର ଦୁର୍ବିଷହ ଜ୍ୱାଳାରେ ଅସ୍ଥିର ହେଉଥିବା ଈଶ୍ୱରଙ୍କୁ ତାଙ୍କ ଈଶ୍ୱରତ୍ୱ ସମ୍ପର୍କରେ ଚେତାଇଦେଲେ, ଐଶ୍ୱରୀୟ ଆବରଣ ତଳେ ଲୁଚି ରହିଥିବା କ୍ଷୁଧାତୁର ପଶୁଟି କ୍ରୋଧରେ ଗର୍ଜନ କରିବ ସିନା, ଈଶ୍ୱରଙ୍କ ପରି ସବୁଦିନ ସବୁ କଥା ସହିନେଇ ନୀରବ ରହିବ ନାହିଁ। ମଣିଷର ସର୍ବନିମ୍ନ ମର୍ଯ୍ୟାଦାରୁ ବଞ୍ଚତ୍ତ ହୋଇ, ବୃତ୍ତିଗତ ଜୀବନରେ ସକଳ ପ୍ରକାର ଅପ୍ରାପ୍ତିର ବୋଝ ମୁଣ୍ଡାଇ ଈଶ୍ୱର ବୋଲାଇବାରେ ଯେ କେତେ ପୀଡ଼ା, ଏ କଥା କେହି ହେଲେ ବୁଝନ୍ତେ ସିନା!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri