ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ୩ ଦିନ ଛୁଟି ସହ ଦରମା ବି ମିଳିଥାଏ।

ଗତ ବୁଧବାର ଏମ୍‌ପିମାନଙ୍କ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ପରେ ଶ୍ରମ ଏମ୍‌ପି ଗିନ୍ନି ଆଣ୍ଡରସନ୍‌ କହିଛନ୍ତି ଯେ, ଏହି ବିଲ୍‌ ମହିଳା ଏବଂ ତାଙ୍କ ସହଯୋଗୀଙ୍କୁ ଲାଭଦାୟକ କରିଛି। ‘ଦ ବେରଭେମେଣ୍ଟ୍‌ ବିଲ୍‌ ନାମକ ଏହି ନୂତନ ନିୟମ ଗର୍ଭବତୀ କିମ୍ବା ପ୍ରସବ ବେଦନା ଭୋଗୁଥିବା ସେହି ମହିଳାଙ୍କ ପାଇଁ ଲାଗୁ କରାଯାଇଛି। ଯେଉଁ କର୍ମଜୀବୀ ମହିଳା ଗର୍ଭପାତ କରିବେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ୩ ଦିନର ଦରମା ସହ ଛୁଟି ବି ପ୍ରଦାନ କରାଯିବ। ଗିନ୍ନି କହିଛନ୍ତି, ନ୍ୟୁଜିଲାଣ୍ଡର ୪ ଜଣରେ ଜଣେ ମହିଳା ଗର୍ଭପାତ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ଗର୍ଭପାତ ବିଷୟରେ ଏକ ଭୁଲ ଧାରଣା ସୃଷ୍ଟି କରିଛନ୍ତି। ଏହି ବିଲ୍‌ ପାସ ହେବା ପରେ ନ୍ୟୁଜିଲାଣ୍ଡ ପ୍ରଗତିଶୀଳ ହେବ।

ସୂଚନାଯୋଗ୍ୟ, ଆମ ଦେଶ ଭାରତରେ ଗର୍ଭପାତ ପରେ ମହିଳାମାନଙ୍କୁ ୬ ସପ୍ତାହ ଛୁଟି ନେବାକୁ ଅନୁମତି ଦିଆଯାଇଛି। ମାତ୍ର ନ୍ୟୁଜିଲାଣ୍ଡରେ ଉଭୟ ମାତାପିତାଙ୍କୁ ଛୁଟି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

Share