ନୂଆଦିଲ୍ଲୀ,୯।୧୧: ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସି ଉଠୁଛି। ସମସ୍ତେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଭାରତୀୟ କ୍ରିକେଟରମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଅନ୍ଦାଜରେ ଆଲୋକର ଏହି ପର୍ବକୁ ସ୍ବାଗତ କରିଛନ୍ତି। କେହି ଏହାକୁ ଖୁବ ଧୁମଧାମରେ ପାଳନ କରିଥିବା ବେଳେ, ଅନ୍ୟ କେହି ସରଳ ଢଙ୍ଗରେ ପାଳନ କରିବାକୁ ପସନ୍ଦ କରିଛନ୍ତି।
ଦୀପାବଳି ଅବସରରେ ଅଭିଷେକ ଶର୍ମା ଏକ ସ୍ବତନ୍ତ୍ର ନୃତ୍ୟ ପରିବେଷଣ କରିଥିବା ବେଳେ, ଏମ.ଏସ. ଧୋନିଙ୍କ ସରଳତା ପୁଣିଥରେ ଲୋକଙ୍କ ହୃଦୟ ଜିତି ନେଇଛି। ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଚେନ୍ନାଇ ସୁପର କିଙ୍ଗ୍ସର ନୂତନ କୋଚ ଜାହିର ଖାନ ମଧ୍ୟ ନିଜ ପରିବାର ସହ ଏହି ପର୍ବ ପାଳନ କରିଛନ୍ତି।
ଦୀପାବଳି ଦିନ, ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମାଙ୍କୁ ବେଶ ଖୁସି ମିଜାଜରେ ଏବଂ ନାଚୁଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ତାଙ୍କର ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ନାଚୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କଳା ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଥିବା ଅଭିଷେକ ଏହି ଉତ୍ସବକୁ ବେଶ ଉପଭୋଗ କରିଥିଲେ।
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କର ସରଳତା ପାଇଁ ଜଣାଶୁଣା ଏବଂ ସେ ଠିକ ସେହି ସରଳ ଭାବନା ସହ ଦୀପାବଳି ପାଳନ କରିଛନ୍ତି। ତାଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ଦୀପାବଳି ପାଳନର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଧୋନି ଏକ ହାଲୁକା ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ସହ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ନଜର ଆସିଛନ୍ତି। ଜାହିର ଖାନ ମଧ୍ୟ ନିଜ ପତ୍ନୀ ସାଗରିକା ଘାଟଗେଙ୍କ ସହ ଦୀପାବଳି ପାଳନ କରିଛନ୍ତି।
ଭାରତୀୟ ଦଳର ପୂର୍ବତନ ବ୍ୟାଟର ସୁରେଶ ରାଇନା ମଧ୍ୟ ସୋସିଆଲ ମିଡିଆରେ ନିଜ ପରିବାର ସହ ଦୀପାବଳି ପାଳନ କରିବାର ଫଟୋ ପୋଷ୍ଟ କରିଛନ୍ତି। ରାଇନା ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହ ଫଟୋ ଶେୟାର କରିଛନ୍ତି; ଏଥିରେ ସେ ଏକ କଳା ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ସଲୱାର ସୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଭାରତୀୟ ଲେଗ-ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ନିଜ ପରିବାର ସହ ଦୀପାବଳି ପାଳନ କରିବାର ଫଟୋ ଶେୟାର କରିଛନ୍ତି।