ଓ୍ବେଲିଂଟନ୍,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍ର ଲକ୍ଷ୍ୟ ରଖିଥିବା ବେଳେ ଅଭିଷେକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏହି ଲକ୍ଷ୍ୟକୁ ସହଜ କରିଦେଇଥିଲା। ଉଭୟ ପ୍ରଥମ ଓଭରରୁ ହିଁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ୬ ଓଭରରେ ଦୁହେଁ ମିଶି ୧୧୮ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ରେଅଭିଷେକ ମାତ୍ର ୧୫ଟି ବଲ୍ରେ ଅର୍ଦ୍ଧଶତକ ଏବଂ ୩୫ଟି ବଲ୍ରେ ଶତକ ପୂରଣ କରିଥିଲେ। ତାଙ୍କ ଏହି ବିସ୍ଫୋରକ ଇନିଂସ କ୍ରିକେଟ୍ପ୍ରେମୀଙ୍କୁ ରୋମାଞ୍ଚିତ କରିଛି।ପେ
ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଶତକ ଅଭିଷେକଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ଚତୁର୍ଥ ଶତକ। ଏହା ପୂର୍ବରୁ ସେ ଆଫଗାନିସ୍ତାନ, ଇଂଲଣ୍ଡ ଓ ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରିଥିଲେ। ତେବେ ଏହି ମ୍ୟାଚ୍ର ଶତକ ତାଙ୍କ କ୍ୟାରିୟରର ଦ୍ୱିତୀୟ ଦ୍ରୁତତମ ଅନ୍ତର୍ଜାତୀୟ ଟି-୨୦ ଶତକ। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ମାତ୍ର ୩୦ଟି ବଲ୍ରେ ଶତକ ହାସଲ କରି ସେ ଚର୍ଚ୍ଚାକୁ ଆସିଥିଲେ।
ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଅଭିଷେକ ଶର୍ମା ଏବେ ସୂର୍ଯ୍ୟକୁମାର ଯାଦବ ଓ ଫିଲ ସଲ୍ଟଙ୍କ ସମକକ୍ଷ ହୋଇଛନ୍ତି। ଏହି ତିନି ଖେଳାଳିଙ୍କ ନାମରେ ୪ଟି ଲେଖାଏ ଶତକ ରହିଛି ଏହି ତାଲିକାରେ ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଶର୍ମା ୫ଟି ଲେଖାଏ ଶତକ ସହ ଶୀର୍ଷରେ ଅଛନ୍ତି।
ପୁରୁଷ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଶତକ
– ଗ୍ଲେନ ମ୍ୟାକ୍ସୱେଲ ୫ ଶତକ
– ରୋହିତ ଶର୍ମା ୫ ଶତକ
– କରନବୀର ସିଂହ ୪ ଶତକ
– ଫିଲ ସଲ୍ଟ ୪ ଶତକ
– ସୂର୍ଯ୍ୟକୁମାର ଯାଦବ ୪ ଶତକ
– ଅଭିଷେକ ଶର୍ମା ୪ ଶତକ
କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ, ସମସ୍ତ ଟି-୨୦ ଫର୍ମାଟକୁ ମିଶାଇ ଶତକ ହାସଲ କରିବା ମାମଲାରେ ମଧ୍ୟ ଅଭିଷେକ ନୂଆ ସଫଳତା ପାଇଛନ୍ତି। ଏହି ଇନିଂସ ସହ ତାଙ୍କ ଟି-୨୦ କ୍ୟାରିୟରର ଶତକ ସଂଖ୍ୟା ୧୧ରେ ପହଞ୍ଚିଛି।
ଏହି ମାମଲାରେ ସେ ବିରାଟ କୋହଲି ଓ ଡେଭିଡ ୱାର୍ନରଙ୍କୁ ପଛରେ ପକାଇଛନ୍ତି। ଉଭୟଙ୍କ ନାମରେ ଟି-୨୦ କ୍ରିକେଟ୍ରେ ୧୦ଟି ଲେଖାଏ ଶତକ ରହିଛି। ଅଭିଷେକଙ୍କଠାରୁ ଆଗରେ ଏବେ ବାବର ଆଜମ ଓ କ୍ରିସ ଗେଲ ରହିଛନ୍ତି। ବାବର ୧୩ଟି ଏବଂ କ୍ରିସ ଗେଲ ୨୨ଟି ଟି-୨୦ ଶତକ ହାସଲ କରିଛନ୍ତି।