ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ ରହିଥିଲା। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୮୨ ରନର ପାଳି ବଳରେ ଟିମ ଇଣ୍ଡିଆ ମାତ୍ର ୧୨ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା। ଅଭିଷେକ ମାତ୍ର ୩୨ ବଲରେ ୮୨ ରନ କରି ମ୍ୟାଚର ହିରୋ ପାଲଟିଥିଲେ।
ଏହି ଇନିଂସ ସମୟରେ ଅଭିଷେକ ଶର୍ମା ଟି-୨୦ କ୍ରିକେଟରେ ୩ଟି ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ଟି-୨୦ କ୍ରିକେଟରେ ସବୁଠାରୁ କମ୍ ବଲ ଖେଳି ୬,୦୦୦ ରନ ପୂରଣ କରିଥିବା ବ୍ୟାଟରଙ୍କ ତାଲିକାରେ ଅଭିଷେକ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ସେ ମାତ୍ର ୩,୪୨୦ ବଲରେ ୬,୦୦୦ ଟି-୨୦ ରନ ପୂରଣ କରିଛନ୍ତି।
ଏହି ତାଲିକାରେ ନ୍ୟୁଜିଲାଣ୍ଡର ଫିନ ଆଲେନ ୩,୩୮୬ ବଲରେ ୬ ହଜାର ରନ ପୂରଣ କରି ପ୍ରଥମ ସ୍ଥାନରେ ଅଛନ୍ତି। ଆନ୍ଦ୍ରେ ରସେଲ ୩,୫୫୦ ବଲରେ ଏହି ମାଇଲଷ୍ଟୋନ୍ ଛୁଇଁଥିଲେ। ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଏହି ରେକର୍ଡ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଥିଲା। ସେ ୪,୦୧୭ ବଲରେ ୬ ହଜାର ରନ କରିଥିଲେ।
ରେକର୍ଡ ତାଲିକା:
ଫିନ ଆଲେନ ୩,୩୮୬ ବଲ
ଅଭିଷେକ ଶର୍ମା ୩,୪୨୦ ବଲ
ଆନ୍ଦ୍ରେ ରସେଲ ୩,୫୫୦ ବଲ
ଆଫଗାନିସ୍ତାନ ବିପକ୍ଷରେ ଅଭିଷେକ ମାତ୍ର ୨୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଅଭିଷେକଙ୍କ ନାମରେ ଏବେ ୧୪ଟି ୫୦+ ସ୍କୋର ରହିଛି। ଏଥିରୁ ୧୨ ଥର ସେ ୨୫ ବଲରୁ କମ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଏହି ମାମଲାରେ ଅଭିଷେକ ଅନ୍ୟ ସମସ୍ତ ବ୍ୟାଟରଙ୍କୁ ପଛରେ ପକାଇଛନ୍ତି। ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୯ ଥର ୨୫ ବଲରେ କମ୍ରେ ଟି-୨୦ ଅର୍ଦ୍ଧଶତକ ହାସଲ କରିଛନ୍ତି।